କଟକ: ପରିବାର ଅଦାଲତରେ ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲା । ଶେଷହେଲା ଉଭୟଙ୍କ ମଧ୍ୟରେ ମଧ୍ୟସ୍ଥତା । ପରିବାର ଅଦାଲତ ବିଚାରପତି ନିଜ ଚାମ୍ବରରେ କଲେ ମଧ୍ୟସ୍ଥତା । ମଧ୍ୟସ୍ଥତାର କୌଣସି ଫଳାଫଳ ସ୍ପଷ୍ଟ ହୋଇନି । ଉଭୟଙ୍କୁ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ପାଇଁ ନିଜ ଆଡୁ ନିର୍ଦ୍ଦେଶ ଦେଇଥିଲେ କଟକ ପରିବାର ଅଦାଲତ । ତେବେ କୋର୍ଟରେ ସହଯୋଗ କରିବାକୁ ସତ୍ୟପାଠ ଦାଖଲ କରିଛନ୍ତି ବର୍ଷା ।
Barsha Anubhav Marital Discord: କୋର୍ଟରେ ସହଯୋଗ କରିବାକୁ ସତ୍ୟପାଠ ଦାଖଲ କଲେ ବର୍ଷା ଓଲିଉଡ଼ ଷ୍ଟାର ଦମ୍ପତି ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦରେ ମଧ୍ୟସ୍ଥତା ପାଇଁ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ କଟକ ପରିବାର ଅଦାଲତ । ଏହା ପୂର୍ବରୁ କୋର୍ଟ କାର୍ଯ୍ୟରେ ଉଭୟ ସମୟ ନଷ୍ଟ କରିଥିବାରୁ ଉଭୟଙ୍କୁ ୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଦଣ୍ଡରେ ଦଣ୍ଡିତ କରିଥିଲେ କୋର୍ଟ । ସେପ୍ଟେମ୍ବର ୧୪ (ଆଜି) ଭିତରେ ଏହି ଦଣ୍ଡରାଶି ଅଦାଲତଙ୍କ ନିକଟରେ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ଉଭୟ ଦାଖଲ କରିଥିବା ୫ ହଜାର ଟଙ୍କା ଜୋରିମାନାର ପ୍ରମାଣ ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...Barsha Anubhav Marital Discord: ଉଭୟଙ୍କୁ ୫ ହଜାର ଲେଖାଏଁ ଜୋରିମାନା
ସେହିପରି ଗତ ସେପ୍ଟେମ୍ବର ୮ ତାରିଖ ଦିନ ଏହି ପାରିବାରିକ ବିବାଦ ମାମଲାର ଶୁଣାଣି ଥିବାବେଳେ କୋର୍ଟରେ ହାଜର ହୋଇନଥିଲେ ବର୍ଷା ପ୍ରିୟଦର୍ଶିନୀ । ଏହାପରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ଉଭୟ ଆଜି ପରିବାର ଅଦାଲତର ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇଥିଲେ । ଏଠାରେ କୋର୍ଟ କାର୍ଯ୍ୟରେ ବିଚାର ପ୍ରକ୍ରିୟାକୁ ସହଯୋଗ କରିବା ସହିତ ଅଯଥା ସମୟ ନନେବା ନେଇ ବର୍ଷା ସତ୍ୟପାଠ ଦାଖଲ କରିଛନ୍ତି । ତେବେ ଅଦାଲତଙ୍କ ମଧ୍ୟସ୍ଥତାର କୌଣସି ଫଳାଫଳ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ଏନେଇ ଅନୁଭବଙ୍କ ଓକିଲ ଲଳିତେନ୍ଦୁ ମିଶ୍ର କହିଛନ୍ତି, "ଆଜି କୋର୍ଟରେ ଉଭୟ ପକ୍ଷ ଦାଖଲ କରିଥିବା ଜୋରିମାନାର ପ୍ରମାଣ ସ୍ବରୂପ ଏହାର ରସିଦ ଦାଖଲ କରିଛନ୍ତି । ବର୍ଷା ବିନା କାରଣରେ ଅନୁପସ୍ଥିତ ରହି କୋର୍ଟଙ୍କ ସମୟ ନଷ୍ଟ କରିବେ ନାହିଁ ଏବଂ ମାମଲା ଶୁଣାଣିରେ କୋର୍ଟଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ସତ୍ୟପାଠ ଦାଖଲ କରିଛନ୍ତି । ତେବେ ପରବର୍ତ୍ତି ତାରିଖ ଧାର୍ଯ୍ୟ ହୋଇନାହିଁ ।" ସେହିଭଳି ବର୍ଷା ପ୍ରିୟଦର୍ଶିନୀଙ୍କ ଓକିଲ ସିଦ୍ଧାର୍ଥ ଦାସ କହିଛନ୍ତି, "କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଉଭୟ ବର୍ଷା ଏବଂ ଅନୁଭବ ଆଜି ପରିବାର ଅଦାଲତରେ ହାଜର ହୋଇଥିଲେ । ତେବେ ଉଭୟଙ୍କ ମଧ୍ୟରେ ମଧ୍ୟସ୍ଥତା କରିବା ପାଇଁ କୋର୍ଟ ନିଜଆଡ଼ୁ ଆଗ୍ରହ ଦେଖାଇ ଉଭୟଙ୍କୁ ମଧ୍ୟସ୍ଥତା କେନ୍ଦ୍ରକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲେ ।" ତେବେ ସେଠାରେ କଣ ନିଷ୍ପତ୍ତି ହୋଇଥିଲା, ସେନେଇ କୌଣସି ପ୍ରତିକ୍ରିୟା ଦେବାକୁ ସେ ମନା କରିଦେଇଥିଲେ ।
ଇଟିଭି ଭାରତ, କଟକ