କଟକ:କୋରୋନା ବଦଳାଇ ଦେଇଛି ଜୀବନଶୈଳୀ । ଦୁଇବର୍ଷ ହେବ ଅନେକ ଲୋକଙ୍କ ଉଚ୍ଚ ଆଶାକୁ ମାଟିରେ ମିଶାଇ ଦେଇଛି ମରାତ୍ମକ ମହାମାରୀ । ଶିକ୍ଷିତ ହେଉ ଅବା ଅଶିକ୍ଷିତ ସମସ୍ତଙ୍କୁ ଘାଇଲା କରିଛି କୋରୋନା । ବ୍ୟବସାୟୀଙ୍କ କଥା ତ ନ କହିବା ଭଲ । ଏଭଳି ସାଙ୍ଘାତିକ ସ୍ଥିତିରେ ସମସ୍ତେ ରୋଜଗାର ହରାଇ ସମସ୍ତେ ଘରେ ବସିଥିବାବେଳେ ନିଜସ୍ବ ଉଦ୍ୟମରେ ରୋଜଗାର କରୁଛନ୍ତି ଏହି ଉଚ୍ଚଶିକ୍ଷିତ ବ୍ୟକ୍ତିଜଣକ । ଏ ହେଉଛନ୍ତି କଟକ ନିମଚଉଡି ଅଞ୍ଚଳର କେଭେଲ ସାଲୋଟ । ଘରେ ବିଭିନ୍ନ ପ୍ରକାରର କେକ ତିଆରି କରି ସେ ଏବେ ହୋଇଛନ୍ତି ଆତ୍ମନିର୍ଭରଶୀଳ ।
ମହାମାରୀ ଯୋଗୁଁ ଉଚ୍ଚଶିକ୍ଷିତ କେଭେଲ ସାଲୋଟ ନିଜ ଭବିଷ୍ୟତକୁ ନେଇଥିଲେ ଉପାୟଶୂନ୍ୟ । କାରଣ ନିଯୁକ୍ତି କ୍ଷେତ୍ର ଏବେ ସମ୍ପୂର୍ଣ୍ଣ ଠପ । ଚାକିରି ନଥିବାକୁ ଚାରିଆଡେ ଲକଡାଉନ । ଏଭଳି ସମୟରେ କେଭେଲଙ୍କ ପାଇଁ ସୋସିଆଲ ମିଡିଆ ସାଜିଥିଲା ଦେବଦୂତ । ସୋସିଆଲ ମିଡିଆରେ ସଭିଏଁ ଭଳି କି ଭଳି ଟେଷ୍ଟି ଆଇଟମ୍ ପୋଷ୍ଟିଂ କରିଥିବା ଦେଖିଥିଲେ ସେ । ଆଉ ଏସବୁ ଦେଖିବା ସମୟରେ କେଭେଲଙ୍କ ନଜରକୁ ଆସିଥିଲା ବିଭିନ୍ନ ଭେରାଇଟ କେକ ତିଆରି ପ୍ରଣାଳୀ । ଆଉ ଏହା ଦେଖିବା ପରେ କେଭେଲ ବାଛିନେଲେ ତାଙ୍କ କ୍ୟାରିୟର । ଆଉ ଆରମ୍ଭ କରିଦେଲେ ମିଶନ କେକ୍ ବିଜନେସ । କେକ ତିଆରି କରିବା ପରେ ସୋସିଆଲ ମିଡିଆରେ ପୋଷ୍ଟ କରି ପ୍ରଶଂସା ପାଇବା ପରେ ଧୀରେ ଧୀରେ କେକ ପାଇଁ ଆସିଲା ଅର୍ଡର ଓ ବଢିଚାଲିଲା ବ୍ୟବସାୟ ।