କଟକ: ଓଡ଼ିଶାର ଗାରିମାମୟ ଗାଥା ବହନ କରୁଥିବା ତଥା ପ୍ରାଚୀନ ଓଡ଼ିଶାର ପ୍ରାଣକେନ୍ଦ୍ର ବାରବାଟୀ ଦୁର୍ଗ ଓ ତାହାର ସୁରକ୍ଷା କବଚ ସାଜିଥିବା ଗଡଖାଇ ଏବେ ଜରାଜୀର୍ଣ୍ଣ । ବ୍ରିଟିଶ ଅମଳରୁ ଏହି ଐତିହାସିକ କୀର୍ତ୍ତିରାଜି ସୁରକ୍ଷା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିଲା ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ । କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଏବେ ସୌନ୍ଦର୍ଯ୍ୟ ହରାଇବାକୁ ବସିଲାଣୀ ଗଡଖାଇ ।
ବର୍ଷ ବର୍ଷ ଧରି ଦଳ ଭର୍ତ୍ତି ଗଡଖାଇକୁ ଦେଖିଲେ ଅନୁମାନ କରିହେବ କେତେ ସୁରକ୍ଷିତ ଆମ କୀର୍ତ୍ତିରାଜି ଓ କେତେ ତତ୍ପର ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ । ରକ୍ଷଣାବେକ୍ଷଣ ପାଇଁ ଅନେକ ସମୟରେ ଟଙ୍କା ମଞ୍ଜୁର ହେଉଥିଲେ ବି ତାହା ଖର୍ଚ୍ଚ ନହୋଇ ପଡି ରହୁଛି । କେବଳ ଅଳ୍ପ କିଛି ପାଚେରୀ ନିର୍ମାଣ କରି ଓ ମଝିରେ ମଝିରେ କିଛି ଦଳ ସଫା କରି ଚୁପ ବସି ପଡିଛି ଏଏସଆଇ । ବାରମ୍ବାର ଦାବି କରାଯାଉଥିଲେ ବି ବିଭିନ୍ନ ଆଳ ଦେଖାଇ ଖସି ଯାଉଛନ୍ତି କର୍ତ୍ତୃପକ୍ଷ । ଗଡଖାଇ ପ୍ରତି ଏଭଳି ଚରମ ଅବହେଳାକୁ ନେଇ ପ୍ରତିବାଦ ଜଣାଇଛନ୍ତି ବୁଦ୍ଧିଜୀବୀ । ଯଥାଶୀଘ୍ର ଏହାର ପୁନଃରୁଦ୍ଧାର କରିବାକୁ ଦାବି କରିଛନ୍ତି ।