କଟକ:କଅଁଳ ବୟସରେ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଲେ କଟକର କୁନି ଅନିକା । ଅନଲାଇନ ଓପେନ ନ୍ୟାସନାଲ ତାଇକୋଣ୍ଡୋ ଚମ୍ପିଆନସିପ୍ରେ କାଂସ୍ୟ ପଦକ ହାସଲ କରିଛନ୍ତି ୫ ବର୍ଷର କୁନି ଝିଅ ଅନିକା ବାଗେଡ଼ିଆ । ଚିଲ୍ଡ୍ରେନ-୧ କାଟାଗୋରୀରେ ଏହି ପଦକ ହାସଲ କରିଛନ୍ତି ଅନିକା ।
ଆଜିକାଲି ବିଭିନ୍ନ ଘଟଣାକୁ ଦୃଷ୍ଟିରେ ରଖି ଝିଅକୁ ତାଇକୋଣ୍ଡ ଶିକ୍ଷା ଦେବାକୁ ସ୍ଥିର କରିଥିଲେ ଆନନ୍ଦ ଓ ସିଲିକ୍ ବାଗେଡ଼ିଆ । ଅନିକା ତାଇକୋଣ୍ଡୋ ସହ ପାଠପଢ଼ା ଓ ଚିତ୍ରାଙ୍କନରେ ବି ମାହିର । ଟିଭି ଓ ଇଣ୍ଟରନେଟରୁ ଅନିକା ତାଇକୋଣ୍ଡୋର ସମସ୍ତ ଭିଡିଓ ଦେଖି ଏଥିପ୍ରତି ଆକର୍ଷିତ ହୋଇଥିଲେ । ସେପଟେ ଆତ୍ମରକ୍ଷା ପାଇଁ ଝିଅକୁ ତାଇକୋଣ୍ଡୋ ଟ୍ରେନିଂ ଦେବାକୁ ନିଷ୍ପତ୍ତି ନେଇଥିଲେ ବାପାମାଆ । ପ୍ରାୟ ଏକ ବର୍ଷ ହେଲା ତାଇକୋଣ୍ଡୋ ତାଲିମ୍ ନେଇ ଆସୁଥିଲେ ଅନିକା । ଯାହାର ଫଳ ଆଜି ତାଙ୍କୁ ମିଳିଛି ।
କୋରୋନା ମହାମାରୀ ସମୟରେ ସ୍କୁଲ୍ ବନ୍ଦ ଥିବାରୁ ଅନଲାଇନ କ୍ଲାସ କରୁଛନ୍ତି ଅନିକା । ଏହାପରେ ପ୍ରତିଦିନ ଏକ ଘଣ୍ଟା ତାଇକୋଣ୍ଡୋ ଶିକ୍ଷାରେ ଏକ ଘଣ୍ଟା ବିତାଇ ଥାଆନ୍ତି । ସୋସିଆଲ ମିଡିଆରୁ ଅନଲାଇନ୍ ଓପେନ ନ୍ୟାସନାଲ ତାଇକୋଣ୍ଡୋ ଚମ୍ପିଆନସିପ୍ ବିଷୟରେ ଜାଣିବାକୁ ପାଇଥିଲେ ଅନିକାଙ୍କ ମାଆ ସିଲିକ୍ ବାଗେଡିଆ । ଏହାକୁ ନେଇ ସେ ଅନିକାଙ୍କ ଟ୍ରେନରଙ୍କ ସହ ଆଲୋଚନା କରିଥିଲେ । ପରେ ପ୍ରତିଯୋଗିତାରେ ଭାଗ ନେବାକୁ ଅନିକାଙ୍କ ନାମ ପଞ୍ଜୀକରଣ କରାଯାଇଥିଲା ।