କଟକ: ଓଡିଶା ହାଇକୋର୍ଟର ନୂଆ ବିଚାରପତି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର । ଆଜି ସେ ବିଚାରପତି ଭାବେ ଶପଥ ନେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଜଷ୍ଟିସ ମହାପାତ୍ରଙ୍କୁ ଶପଥ ପାଠ କରାଇଛନ୍ତି । ହାଇକୋର୍ଟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଶପଥ ପାଠ ଉତ୍ସବରେ ହାଇକୋର୍ଟର ସମସ୍ତ ବିଚାରପତି, ବହୁ ବରିଷ୍ଠ ଆଇନଜୀବୀ, ବାର ଆସୋସିଏସନ କର୍ମକର୍ତ୍ତା, ପୋଲିସ ଡିଜି, ପୋଲିସ କମିଶନରଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ଉପସ୍ଥିତ ରହିଛନ୍ତି ।
କଟକ ସୁତାହାଟର ବାସିନ୍ଦା ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ରାଜ୍ୟର ସର୍ବବୃହତ ପବ୍ଲିକେସନ ହାଉସ ଗ୍ରନ୍ଥ ମନ୍ଦିର ପ୍ରକାଶକଙ୍କ ପରିବାର ସଦସ୍ୟ । ଜଷ୍ଟିସ ମହାପାତ୍ରଙ୍କ ଜେଜେ ବାପା ଶ୍ରୀଧର ମହାପାତ୍ର ଗ୍ରନ୍ଥ ମନ୍ଦିରର ପ୍ରତିଷ୍ଠାତା ଥିଲେ । ବାପା ସ୍ୱର୍ଗତ ଅଭିରାମ ମହାପାତ୍ର ଦୀର୍ଘ ଦିନ ଧରି ଗ୍ରନ୍ଥ ମନ୍ଦିରର ପବ୍ଲିକେସନ ବୁଝାବୁଝି କରୁଥିଲେ । ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ୧୯୮୪ ମସିହାରେ ରେଭେନ୍ସା କଲଜିଏଟ ସ୍କୁଲରୁ ମାଟ୍ରିକ ପାସ୍ କରିବା ପରେ ରେଭେନ୍ସା ମହାବିଦ୍ୟାଳୟରୁ ଉଚ୍ଚଶିକ୍ଷା ଶେଷ କରିଥିଲେ । ଏହାପରେ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ଶେଷ କରି ୧୯୯୫ ମସିହାରେ ରାଜ୍ୟ ଆଇନଜୀବୀ ପରିଷଦରେ ଆଇନଜୀବୀ ଭାବେ ପଞ୍ଜିକୃତ ହୋଇଥିଲେ ।