କଟକ: ଆଉ ଦିନ କେଇଟା ପରେ ଅନୁଷ୍ଠିତ ହେବ ଦଶମ ଶ୍ରେଣୀର ପ୍ରଥମ ଫର୍ମାଟିଭ ଆସେସମେଣ୍ଟ ପରୀକ୍ଷା । ତେବେ ଏହି ପରୀକ୍ଷା ପୂର୍ବରୁ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ ଆଣିଥିବା ବୋର୍ଡ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ତାଲିମ ଦେବା କାର୍ଯ୍ୟ ଆରମ୍ଭ କରିଛି । ଏନେଇ ବୋର୍ଡ ପକ୍ଷରୁ 3 ଦିନିଆ କର୍ମଶାଳା ଆୟୋଜିତ ହୋଇଯାଇଛି । ଯେଉଁଥିରେ ରାଜ୍ୟର 30ଟି ଜିଲ୍ଲାରୁ ଆସିଥବା 96 ଜଣ ଜଣ ମାଷ୍ଟର ଟ୍ରେନରଙ୍କୁ ତାଲିମ ପ୍ରଦାନ କରାଯାଉଥିବା ବେଳେ ଏହି ଶିକ୍ଷକମାନେ ପରବର୍ତ୍ତି ସମୟରେ ନିଜ ନିଜ ଜିଲ୍ଲାର ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ତାଲିମ ପ୍ରଦାନ କରିବେ । ସୂଚନନୁଯାୟୀ ଚଳିତମାସ ଦ୍ବିତୀୟ ସପ୍ତାହରେ ଅନୁଷ୍ଠିତ ହେବ ଦଶମ ଶ୍ରେଣୀର ଫର୍ମାଟିଭ ଆସେସମେଣ୍ଟର ପ୍ରଥମ ପରୀକ୍ଷା ।
ଆଉ ଏହି ପରୀକ୍ଷା ପୂର୍ବରୁ ବୋର୍ଡ ମୁଖ୍ୟାଳୟରେ ତାଲିମ ନେଉଛନ୍ତି ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା 96 ଜଣ ଶିକ୍ଷକ ଶିକ୍ଷୟତ୍ରୀ । ଫର୍ମାଟିଭ ଆସେସମେଣ୍ଟ ଓ ଟର୍ମ ପରୀକ୍ଷା କିଭଳି ହେବ, ଏହି ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ କିପରି ପ୍ରସ୍ତୁତ କରାଯିବ, କେଉଁ ଆଧାରରେ, ମାର୍କିଂ ହେବ ଓ ଫଳ ପ୍ରକାଶ କରାଯିବ । ଏହି ସମସ୍ତ ବିଷୟ ବାବଦରେ ମାଷ୍ଟର ଟ୍ରେନରମାନଙ୍କୁ ତାଲିମ ପ୍ରଦାନ କରାଯାଉଛି । ତେବେ ଏହି ମାଷ୍ଟର ଟ୍ରେନରମାନେ ନିଜ ଜିଲ୍ଳାକୁ ଯାଇ ଜିଲ୍ଲା ସ୍ତରର ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ତାଲିମ ପ୍ରଦାନ କରିବେ । ଏହାସହ 1956 ମସିହା ଠାରୁ ଅର୍ଥାତ 65 ବର୍ଷ ଧରି ପ୍ରଚଳିତ ମାଟ୍ରିକ ପରୀକ୍ଷା ଢାଞ୍ଚା ବା ପଦ୍ଧତିରେ ଚଳିତବର୍ଷ ଠାରୁ ବଡଧରଣର ପରିବର୍ତ୍ତନ ଆଣିଛି ମାଧ୍ୟମିକ ଶିକ୍ଷା ପରିଷଦ ।