କଟକ:ଚର୍ଚ୍ଚିତ ଶୁଆ (କୋକୋ) ଏବଂ ମାଲିକଙ୍କ ସମ୍ପର୍କରେ ବିଚ୍ଛେଦ । ହଜି ଯାଇଥିବା କୋକୋକୁ ପାଇବା ପାଇଁ ଶତ ଚେଷ୍ଟା ସତ୍ତ୍ବେ କୋକୋଠୁ ଅଲଗା ରହିବାକୁ ପଡିଛି ମାଲିକାଣୀଙ୍କୁ । ଆଇନ କାନୁନ ଏବଂ ନିୟମ ଆଗରେ ଫିକା ପଡିଛି ସମ୍ପର୍କ । ମାଲିକାଣୀଙ୍କ ଠାରୁ କୋକୋକୁ ଛଡାଇ ନେଇଛି ବନ ବିଭାଗ (A team of Forest department takes custody of Coco the pet parrot from its owners in Cuttack ) ।
Pet Parrot Coco: କୋକୋକୁ ନେଲା ବନ ବିଭାଗ, ଲୁହରେ ଭିଜିଲା ମାଲିକାଣୀଙ୍କ ପଣତ କଟକ ତୁଳସୀପୁର ସ୍ଥିତ ମଧୁସୂଦନ ନଗର ନିବାସୀ ପ୍ରଫେସର ସସ୍ମିତା ବେହେରା ବର୍ଷେ ତଳେ ଏକ ଛୋଟ ଶୁଆକୁ ଉଦ୍ଧାର କରିଥିଲେ । ଘରର ଏକ ସଦସ୍ୟ ଭଳି ତାକୁ ଲାଳନ ପାଳନ ମଧ୍ୟ କରିଥିଲେ । ଶୁଆର ନାମ କୋକୋ ରଖି ତାକୁ ପୁଅ ଭଳି ସ୍ନେହ ଦେଇଥିଲେ । ସବୁଠୁ ବଡ କଥା ହେଉଛିକି ସେ କେବେ କୋକୋକୁ ପଞ୍ଜୁରୁରୀରେ ରଖିନଥିଲେ । କୋକୋ ତାଙ୍କ ଘରେ ହିଁ ରହୁଥିଲା । ମାତ୍ର ଜାନୁଆରୀ ୫ ତାରିଖରେ କୌଣସି କାରଣବସତଃ କେଉଁଆଡେ ଉଡି ଯାଇଥିଲା କୋକୋ ।
କୋକୋକୁ ବହୁ ଖୋଜାଖୋଜି ପରେ ପାଇନଥିଲେ ସସ୍ମିତା । ଫଳରେ ବିଭିନ୍ନ ମାଧ୍ୟମରେ ବିଜ୍ଞାପନ ଦେଇଥିଲେ । ଏପରିକି ୫ ହଜାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲେ । ଶେଷରେ ଗତକାଲି (ସୋମବାର) କୁଆଖାଇ ନଦୀ କେଶୁରା ନିକଟ ପୁରୁଣି ମା' ମନ୍ଦିର ନିକଟରୁ ଜଣେ ବ୍ୟକ୍ତି କୋକୋକୁ ଉଦ୍ଧାର କରି ସମ୍ପୃକ୍ତ ମାଲିକାଣୀଙ୍କୁ ହସ୍ତାନ୍ତର କରିଥିଲେ ।
ମାତ୍ର ଆଇନ କାନୁନ ଆଗରେ ପକ୍ଷୀ ଆଉ ମଣିଷ ମଧ୍ୟରେ ଥିବା ଭାବାବେଗ ଫିକା ପଡିଛି । ବନ୍ୟା ପ୍ରାଣୀକୁ ପାଳିବା ଏବଂ ବିକ୍ରି କରିବାକୁ ବେଆଇନ ଦର୍ଶାଇ ଆଜି(ମଙ୍ଗଳବାର) ମାଲିକାଣୀଙ୍କ ଘରେ ପହଞ୍ଚି କୋକୋକୁ ନେଇଯାଇଛି ବନ ବିଭାଗ । ଅନ୍ୟପଟେ ପ୍ରିୟର ଲୋକ ଘରୁ ଚାଲିଗଲେ ଯେପରି କାନ୍ଦନ୍ତି ଠିକ୍ ସେହିପରି କୋକୋ ମାଲିକାଣୀ ସସ୍ମିତା କାନ୍ଦୁଥିବା ଦେଖିବାକୁ ମିଳିଛି ।
ସେପଟେ ଏବେ କୋକୋର ନୂଆ ଠିକଣା ହେଉଛି ନଦନକାନନ । ବନ ବିଭାଗ କୋକୋକୁ ନେଇ ନନ୍ଦରକାନନରେ ରଖିବ ବୋଲି କହିଛି । ବନ ବିଭାଗ ନିୟମ ଅନୁଯାୟୀ ଉକ୍ତ ଶୁଆର ପ୍ରଥମେ ଚିକିତ୍ସା କରାଯିବ ଓ ପରେ ତାକୁ ସୁରକ୍ଷିତ ନନ୍ଦନକାନନରେ ଛଡାଯିବ । ପ୍ରଫେସର ସସ୍ମିତା ଚାହିଁଲେ କୋକୋର ରକ୍ଷଣାବେକ୍ଷଣ ପାଇଁ ଆର୍ଥିକ ସହାୟତା କରିବା ସହ ତାକୁ ଯାଇ ଦେଖି ପାରିବେ ବୋଲି ବନ ବିଭାଗ କର୍ମଚାରୀ କହିଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ