କଟକ: କଟକ-ଭଦ୍ରକ ରେଳଲାଇନ ଟାଙ୍ଗୀ ନିକଟ 174ନଂ ଲେବଲ କ୍ରସିଂରେ ଅଘଟଣ । ଅଧାରେ ଫାଟକ ଖସିପଡିବାରୁ 4ଜଣ ଆହତ ହୋଇଛନ୍ତି । ଏଥିସହ ଗୋଟିଏ ବୋଲେରୋ ସହ 3ଟି ବାଇକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ,ଗତ ସନ୍ଧ୍ୟାରେ ଏକ ମାଲବାହୀ ଟ୍ରେନ ଯିବା ସମୟରେ 174 ନମ୍ବର ଫାଟକ ବନ୍ଦ ରହିଥିଲା । ଟ୍ରେନ ଯିବା ପରେ ଫାଟକ କର୍ମଚାରୀ ଫାଟକକୁ ଉଠାଇଥିଲେ । ଏହା ପରେ ଉଭୟ ପାର୍ଶ୍ବରେ ଥିବା ଗାଡିଗୁଡିକ ଯାତାୟାତ ଆରମ୍ଭ କରିଥିଲେ । କିନ୍ତୁ ଫାଟକଟି ଅଧା ଉଠିବା ପରେ ହଠାତ ଖସି ପଡିଥିଲା ।
ଏହି ସମୟରେ ଟାଙ୍ଗୀ-ଚୌଦ୍ବାର ବିଡିଓ ବିନୋଦ ସେନାପତି ଏକ ବୋଲେରୋରେ ପାର ହେଉଥିବାବେଳେ ଫାଟକଟି ପଡିଯାଇଥିଲା । ଫଳରେ ଗାଡିର କାଚ ଭାଙ୍ଗିବା ସହ ଜଣେ କର୍ମଚାରୀ ସାମାନ୍ୟ ଆହତ ହୋଇଥିଲେ । ସେହିପରି ଫାଟକ ଖସି ପଡିବାରୁ 3 ଜଣ ବାଇକ ଆରୋହୀ ମଧ୍ୟ ଆହତ ହୋଇଛନ୍ତି ।