କଟକ: କାଗଜ କଲମରେ ଅଟକି ଯାଇଛି ହରିଣ ପାର୍କ ନିର୍ମାଣ କାର୍ଯ୍ୟ । ଯାହାଫଳରେ କଟକର ହରିଣ ପାର୍କରେ ଅସୁରକ୍ଷିତ ଭାବରେ ରହିଛନ୍ତି ଶହ ଶହ ହରିଣ । ବର୍ତ୍ତମାନ କଟକ ହରିଣ ପାର୍କରେ ୧୮୦ ରୁ ଅଧିକ ହରିଣ ଅଛନ୍ତି। ଏତେ ସଂଖ୍ୟକ ହରିଣ ପ୍ରାୟ ୩ ଏକରରୁ ଅଧିକ ଜମିରେ ରହିଛନ୍ତି। ହେଲେ ନିୟମ ଅନୁଯାୟୀ ଏହି ସ୍ଥାନ ମଧ୍ୟରେ ପ୍ରାୟ ୨୦ ରୁ ୨୫ ଟି ହରିଣ ରହିବା କଥା। ତେବେ ହରିଣ ମାନଙ୍କ ସୁରକ୍ଷା ପାଇଁ ଦ୍ୱିତୀୟ ହରିଣ ପାର୍କ ନିର୍ମାଣ କରିବାକୁ ସରକାର ବହୁତ ଦିନରୁ ଯୋଜନା କରିଥିଲେ ହେଁ ତାହା ଅଧାରେ ଅଟକି ରହିଛି।
ହରିଣ ପାର୍କରୁ ଗୋଟିଏ ହରିଣ ଖସି ଗଡ଼ଖାଇରେ ପଡି ମୃତ୍ୟୁ ହେବା ପରେ ଏବେ ହରିଣ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୩ ଟି ଫାଟକ ଅତିକ୍ରମ କରି ହରିଣଟି କିଭଳି ଖସି ଆସିଲା। ସେଠାରେ କିଭଳି ଥିଲା ସୁରକ୍ଷା ବ୍ୟବସ୍ଥା ? ହରିଣ ପାର୍କରେ ରହୁଥିବା ୧୮୦ ରୁ ଅଧିକ ହରିଣ କେତେ ସୁରକ୍ଷିତ ? ଏମିତି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ତେବେ ତୁରନ୍ତ ଦ୍ୱିତୀୟ ହରିଣ ପାର୍କ ନିର୍ମାଣ କରି ହରିଣ ମାନଙ୍କୁ ସ୍ଥାନାନ୍ତର କରିବାକୁ ଦାବି ହୋଇଛି।