ଭୁବନେଶ୍ବର: ଜମି ବିକ୍ରିକୁ ନେଇ ଅପହରଣ ପରେ ଅତ୍ୟାଚାର, ମୁଣ୍ଡ ଜାମିନ ରଖି ବନ୍ଧକ ରଖିଲେ ୨ଦିନ । ୧ ଲକ୍ଷ ୭୦ ହଜାର ଟଙ୍କା ଡିମାଣ୍ଡ କରି ଯୁବକଙ୍କୁ ମାଡ ମାରି ଲହୁ ଲୁହାଣ କଲେ ଅଭିଯୁକ୍ତ । ବଡଗଡର ଜଗବନ୍ଧୁ ନାଏକକୁ ଅପହରଣ କରି ଏଭଳି ଅତ୍ୟାଚାର କରାଯାଇଥିବା ଘଟଣାର ଖୁଲାସା କରିଛି କମିଶନରେଟ ପୋଲିସ । ଘଟଣାରେ ସମ୍ପୃକ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନେ ହେଲେ ପ୍ରଦୀପ କୁମାରଦାସ, ବିଶ୍ବନାଥ ଦାସ,ରାକେଶ କୁମାର ସାହୁ । ସେମାନଙ୍କ ଠାରୁ ୨ଟି ଲୁହା ଛଡ, ୧୦ଟି ଜୀବନ୍ତ ଗୁଳି, ଗୋଟିଏ ବନ୍ଧୁକ ଓ ଗୋଟିଏ ଟାଭେରା କାରକୁ ଜବତ କରିଛି ପୋଲିସ।
ସୁଚନା ଅନୁଯାୟୀ ଗତ ଦୁଇ ଦିନ ତଳେ ଏକ ଜମି କିଣାବିକାକୁ ନେଇ ଅଭିଯୁକ୍ତଙ୍କ ସହ ଡିଲ କରିଥିଲେ ଜଗବନ୍ଧୁ ନାଏକ। ହେଲେ କିଛି ବିବାଦକୁ ନେଇ ଜମିଟି ରେଜଷ୍ଟ୍ରି ନ ହୋଇପାରିବାରୁ ତିନି ଅଭିଯୁକ୍ତ ଜଗବନ୍ଧୁକୁ ୫୦୦୦ ଟଙ୍କା ଦେବା ବାହାନାରେ ପଳାଶୁଣି ଛକକୁ ଡ଼ାକିଥିଲେ । ସେଠାରେ ପହଞ୍ଚିବା କ୍ଷଣି ନିମ୍ନୋକ୍ତ ମୁଖ୍ୟ ଅଭିଯୁକ୍ତ ଅନ୍ୟ ସହଯୋଗୀ ମାନଙ୍କ ସହାୟତାରେ ତାଙ୍କୁ ସେଠାରୁ ଏକ କାର ଜରିଆରେ ମଞ୍ଚେଶ୍ଵର ଥାନା ଅନ୍ତର୍ଗତ ସତ୍ୟବିହାର ଅଞ୍ଚଳରେ ଥିବା ଅନ୍ୟଜଣେ ଅଭିଯୁକ୍ତଙ୍କ ଘରକୁ ଅପହରଣ କରି ନେଇଯାଇଥିଲେ । ସେଠାରେ ଥାଇ ଅଭିଯୁକ୍ତ ମାନେ ଯୁବକଙ୍କ ମାଆଙ୍କୁ ଫୋନ କରି ୧ଲକ୍ଷ ୭୦ ହଜାର ଟଙ୍କା ମାଗିଫୋନ ସ୍ଵିଚ ଅଫ କରିଦେଇଥିଲେ । ଏହା ପରେ ଯୁବକଙ୍କୁ ସଂଘବଦ୍ଧ ଭାବେ ଲୁହା ଛଡ, ବେଲ୍ଟରେ ମରଣାନ୍ତକ ଆକ୍ରମଣ କରିଥିଲେ ।