ଭୁବନେଶ୍ବର:ମହିଳାଙ୍କ ଋତୁସ୍ରାବ ଏକ ସମସ୍ୟା ନୁହେଁ, ମାତ୍ର ଏହା ଉତ୍ତମ ସ୍ବାସ୍ଥ୍ୟ ଓ ପରିଚ୍ଛନତା ପାଇଁ ହେଉଥିବା ଏକ ପ୍ରାକୃତିକ ପ୍ରକ୍ରିୟା । ମାତ୍ର ମହିଳାମାନେ ଏ ସମ୍ପର୍କରେ କହିବା ପାଇଁ ସଙ୍କୋଚ ମନେ କରିଥାନ୍ତି । ଏହି ସମୟରେ ଘର ବାହାରେ ମହିଳାମାନେ ଅସହଜ ମନେ କରୁଥିବା ବେଳେ ଅଧିକାଂଶ ଘରୁ ବାହାରିବା ପାଇଁ କୁଣ୍ଠା ପ୍ରକାଶ କରିଥାନ୍ତି । ମାତ୍ର ମହିଳାଙ୍କ ଏହି ଅସୁବିଧାକୁ ଦୂର କରିବା ପାଇଁ ଯୁବ ଇଞ୍ଜିନିୟର ହୃଦାନନ୍ଦ ପୃଷ୍ଟି ଆଣିଛନ୍ତି ଏକ ହାପିନେସ କିଟ । ଯାହାକୁ ସେ ନାମ ଦେଇଛନ୍ତି ପ୍ରୋଜେକ୍ଟ ପ୍ରୀତି- ଏ ହାପି ରୁମ ଫର ଓମେନ । ତେବେ ଏହି ପ୍ରୋଜେକ୍ଟଟି ବାହାର ସ୍ଥାନରେ ଥିବା ଶୌଚାଳୟରେ ଉପଲବ୍ଧ ହୋଇପାରିଲେ ମହିଳାମାନେ ବହୁତ ଲାଭବାନ ହୋଇପାରିବେ ।
ଋତୁସ୍ରାବ ସମୟରେ ସ୍କୁଲ କଲେଜଠାରୁ ଆରମ୍ଭ କରି ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ରହିଥିବା ଶୌଚାଳୟରେ ସୁବିଧା ନଥିବାରୁ ମହିଳାମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଆଉ ଏହି କଠିନ ଯନ୍ତ୍ରଣା ସମୟରେ ସର୍ବସାଧାରଣ ସ୍ଥାନରେ ପରିଚ୍ଛନ୍ନତା ବା ମହିଳା ଶୌଚାଳୟର ସୁବିଧା ନଥିବା ବେଳେ ଅନେକ ସଂକୋଚ ଅନୁଭବ କରିଥାନ୍ତି । ମହିଳାଙ୍କ ଦୁଃଖ ସେତେବେଳେ ଦୁଇଗୁଣ ହୋଇଯାଏ ଯେତେବେଳେ ପାଖରେ ସାନିଟାରୀ ପ୍ୟାଡ଼ ନଥାଏ । ଏହି ସମସ୍ତ ସମସ୍ୟାକୁ ଦୂର କରିବା ପାଇଁ ହୃଦାନନ୍ଦ ପ୍ରୋଜେକ୍ଟ ପ୍ରୀତି କିଟକୁ ତିଆରି କରିଛନ୍ତି । ଏହି କିଟରେ ସାନିଟାରି ପ୍ୟାଡ଼, କଟନ, ଟିସୁ, ସାବୁନ, ସାନିଟାଇଜର ଓ ମହିଳାଙ୍କ ଆରାମ ପାଇଁ ରହିଛି ବେଞ୍ଚ ଚେୟାର । ଏହି ପ୍ରକଳ୍ପଟି ଭାରତର ଏକ ଐତିହାସିକ ପଦକ୍ଷେପ ହୋଇଥିବା ବେଳେ ସବୁ ଶୌଚାଳୟରେ ଲାଗିପାରିଲେ ମହିଳାଙ୍କୁ ଆଉ ଋତୁସ୍ରାବ ସମୟରେ ଅନ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ ବୋଲି ହୃଦାନନ୍ଦ କହିଛନ୍ତି ।