ଭୁବନେଶ୍ବର:କଠିନ ସମୟରେ ହିଁ ନିଜ ଭିତରେ ଥିବା ପ୍ରତିଭା ହୋଇଥାଏ ବିକଶିତ । ଜୀବନରେ ପ୍ରତିକୂଳ ପରିସ୍ଥିତି ନ ଆସିବା ପର୍ଯ୍ୟନ୍ତ ମଣିଷ ଚିହ୍ନିପାରିନଥାଏ ନିଜ ଭିତରେ ଥିବା ଗୁଣକୁ । ଦେଶ ସମେତ ରାଜ୍ୟରେ ସମସ୍ତଙ୍କ ଚିନ୍ତା ବଢାଇଛି କୋରୋନାର ଦ୍ବିତୀୟ ଲହରୀ । ପରିସ୍ଥିତି ଏପରି ଯେ ପ୍ରତିଦିନ କୋରୋନା ସଂକମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସେହି ଅନୁପାତରେ କୋରୋନା ମୁକାବିଲା ଲାଗି ଟିକାକରଣ ଚାଲିଥଲେ ମଧ୍ୟ ସଂକମଣ ଉପରେ ରୋକ ଲଗାଯାଇ ପାରୁନି। ଏପରି ସ୍ଥଳେ ସାମାଜିକ ଦୂରତା ଆଉ ସାନିଟାଇଜେସନ ହିଁ କୋରୋନା ବିରୋଧୀ ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଯାହାକୁ ନେଇ ରାଜଧାନୀର ଯୁବ ବୈଜ୍ଞାନିକ ଶକ୍ତିପ୍ରସାଦ ଏକ ନିଆରା ମେସିନ ଉଦ୍ଭାବନ କରିଛନ୍ତି। ଯେଉଁଥିରେ ଶରୀରର ତାପମାତ୍ରା ସହିତ ସାନିଟାଇଜେସନ ମଧ୍ୟ ହୋଇ ପାରୁଛି।
ଏହି ମେସିନ ଯେକୌଣସି ସ୍ଥାନରେ ରହିପାରୁଥିବା ବେଳେ ବିନା ବିଦ୍ୟୁତରେ ଅର୍ଥାତ ସୌର ଶକ୍ତିରେ ପରିଚାଳିତ ହେଉଛି। ସାନିଟାଇଜ ପାଇଁ ହାତ ଦେଖାଇବା ମାତ୍ରେ ଏହି ମେସିନ ଦେଖାଉଛି ଶରୀରର ତାପମାତ୍ରା । ଦୁଇଟି କାମ ଏକାବେଳେ ହେଉଥିବାରୁ ତାପମାତ୍ରା ମାପିବା ପାଇଁ ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇଥିବା କର୍ମଚାରୀଙ୍କ ଆବଶ୍ୟକ ପଡିବ ନାହିଁ । ଫଳରେ ସେମାନେ ମଧ୍ୟ ସଂକ୍ରମଣ ଭୟରୁ ରକ୍ଷା ପାଇପାରିବେ । ସେପଟେ ବିନା ବିଦ୍ୟୁତ ଖର୍ଚ୍ଚରେ ମେସିନଟି କାର୍ଯ୍ୟ କରୁଥିବାରୁ ଏହାକୁ ପସନ୍ଦ କରୁଛନ୍ତି ଅନେକ ଲୋକ ।