ଭୁବନେଶ୍ବର:ସକ୍ରିୟ ଘୁର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମ-କେନ୍ଦ୍ରୀୟ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହାର ପ୍ରଭାବରେ ଆଜି (ଗୁରୁବାର) ଉପକୂଳ ସମେତ, ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଏଥିଲାଗି ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ (Yellow Warning issued to 10 districts) ଜାରି କରାଯାଇଛି ।
ଆଗାମୀ ୪୮ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡିଶା ଉପକୂଳ ସମୁଦ୍ର ମଧ୍ୟରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜି ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷିବ । ୧୦ ତାରିଖ ଓ ୧୧ ତାରିଖରେ ବର୍ଷାର ପରିମାଣ ବଢିବା ସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ୭ ସେମିରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ।
ସେହିପରି ଆଜି ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଜିଲ୍ଲା ଗୁଡିକ ହେଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି ,କନ୍ଧମାଳ, ଗଜପତି, ଗଞ୍ଜାମ ,ଖୋର୍ଦ୍ଧା ଓ ପୁରୀ । ଏହି ସବୁ ସ୍ଥାନରେ ପ୍ରବଳ ବର୍ଷା ପାଇଁ ସୂଚନା ଜାରି କରାଯାଇଛି । ଆସନ୍ତାକାଲି ପାଇଁ ୪ ଜିଲ୍ଲା କୋରାପୁଟ, କନ୍ଧମାଳ, ଗଜପତି, ଗଞ୍ଜାମକୁ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଚେତାବନୀ ଜାରି ହୋଇଛି ।