ଭୁବନେଶ୍ବର:ରାଜ୍ୟରେ ମୌସୁମୀର ଲୁଚକାଳି ଖେଳ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଆବଶ୍ୟକତା ଠାରୁ ବହୁ କମ ବର୍ଷା ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୦ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ଅଗଷ୍ଟ ୧ ତାରିଖରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କ୍ରମାଗତ ଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ରହିଛି । ତେବେ ଦୁର୍ବଳ ମୌସୁମୀ ଯୋଗୁଁ ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଛି । ଗତ ଜୁନ୍ ୧ ତାରିଖରୁ ଅଗଷ୍ଟ ୧୨ ତାରିଖ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଭାବେ ୭୧୧.୧ ମିଲିମିଟର ବର୍ଷା ହେବା କଥା କିନ୍ତୁ ୪୯୮.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି ।
ରାଜ୍ୟର ୨୪ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବାବେଳେ ୬ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି । ଯାଜପୁରରେ ୫୫ ପ୍ରତିଶତ, ଭଦ୍ରକରେ ୫୦ ପ୍ରତିଶତ, ଗଜପତିରେ ୪୪ ପ୍ରତିଶତ ଏବଂ ବଲାଙ୍ଗିର ଜିଲ୍ଲାରେ ୪୩ ପ୍ରତିଶତ ବର୍ଷା ହୋଇଛି । ସେପଟେ ଝାରସୁଗୁଡା ଏବଂ କେନ୍ଦୁଝର ଜିଲ୍ଲାରେ ସ୍ବାଭାବିକ ଠାରୁ ୪୧ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି । ଅଗଷ୍ଟ ପହିଲାରୁ ଏଯାଏଁ ସ୍ବାଭାବିକ ଠାରୁ ୭୧ ପ୍ରତିଶତ କମ୍ ବର୍ଷା ହୋଇଛି । ସେପଟେ ନିଅଣ୍ଟିଆ ବର୍ଷାରେ ମରୁଡି ଆଶଙ୍କା ଥିବା ବେଳେ ଆଶା ସଞ୍ଚାର ସୃଷ୍ଟି କରିଛି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଝାଡଖଣ୍ଡ ଓ ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ଲମ୍ବିଥିବା ଘୂର୍ଣ୍ଣିବଳୟ ।