ପ୍ରତ୍ୟକ ବର୍ଷ ପରି ୨୦୨୧ ମଧ୍ୟ ଘଟଣା-ଦୁର୍ଘଟଣା, ଆନନ୍ଦ-ବିଷାଦ, ଆଶା-ଆଶଙ୍କା, ସମ୍ଭାବନା-ନିରାଶ, ଉଲ୍ଲାସ ଆଉ ଅବକାଶ ମଧ୍ୟରେ ବିଦାୟ ନେବାକୁ ଯାଉଛି । ସେହିପରି ଅନ୍ତର୍ଜାତୀୟ ପୃଷ୍ଠା ମଧ୍ୟ ଏପରି କିଛି ରୋଚକ ଥିଲା ଯାହା, ଆଗାମୀ ୧୦୦ ବର୍ଷ ପାଇଁ ଏକ ନୂତନ ଇତିହାସ ଲେଖିବାରେ ମଧ୍ୟ ସକ୍ଷମ ହେବ ।
୧. ଆଫଗାନରେ ତାଲିବାନ ରାଜ
ଦୀର୍ଘ ୨୦ ବର୍ଷର ପ୍ରତିକ୍ଷା ପରେ ଆଫଗାନୀସ୍ତାନରେ ଶାସନକୁ ଫେରିଛି ତାଲିବାନ । ଜୋ ବାଇଡେନ ଆମେରିକାର ରାଷ୍ଟ୍ରପତି ହେବା ପରେ ଘୋଷଣା କଲେ ୩୧ ଅଗଷ୍ଟ ୨୦୨୧ ସୁଦ୍ଧା ଆଫଗାନିସ୍ତାନରୁ ସମସ୍ତ ଆମେରିକା ସୈନିକ ସ୍ବଦେଶ ଫେରିଯିବେ । ଆଉ ଏହି ମଉକାକୁ ଚାତକ ପରି ଅନାଇ ବସିଥିଲା ତାଲିବାନ । କାରଣ ୨୦ ବର୍ଷ ତଳେ ଅର୍ଥାତ 11 ସେପ୍ଟେମ୍ବର 2001ରେ ଆମେରିକାର ବିଶ୍ବ ବାଣିଜ୍ୟ କେନ୍ଦ୍ର(World Trade Center) ଉପରେ ଆକ୍ରମଣ କରିଥିଲା ଆତଙ୍କବାଦୀ ଓସାମା ବିନ ଲାଡେନ । କ୍ଷଣିକ ମଧ୍ୟରେ ଧ୍ବଂସ ସ୍ତୁପରେ ପରିଣତ ହୋଇଯାଇଥିଲା ବିଶ୍ବ ବାଣିଜ୍ୟ କେନ୍ଦ୍ର । ଆଉ ଯାହାର ଚରାଭୂଇଁ ଥିଲା ଆଫଗାନିସ୍ତାନ । ତେଣୁ, ଆମେରିକା ନିଷ୍ପତ୍ତି ନେଲା ଯେ, ଆଫଗାନିସ୍ତାନରୁ ତାଲିବାନକୁ ହଟାଇ ଏକ ସ୍ଥିର ସରକାର ପ୍ରଦାନ କରିବ । ପରେ ଆମେରିକା ଆଫଗାନିସ୍ତାନରେ ଅନ୍ଧାଧୂନ ଗୁଳି ସହ ବୋମା ବର୍ଷଣ କରିଥିଲା । ଯେଉଁଥିରେ କିଛି ତାଲିବାନ ଆତଙ୍କବାଦୀ ନିପାତ ହୋଇଥିଲା । ପରେ ଆଫଗାନିସ୍ତାନର ସୁରକ୍ଷା ପାଇଁ ସେଠାରେ ଆମେରିକା ନିଜର ସୈନ୍ୟ ନିୟୋଜିତ କରିଥିଲା ଏବଂ ଏକ ସ୍ଥିର ସରକାର ପ୍ରଦାନ କରିବାରେ ସଫଳ ହୋଇଥିଲା । ଆମେରିକା ସୈନ୍ୟ ଶକ୍ତି ଠାରୁ ଆରମ୍ଭ କରି ଆର୍ଥିକ ସହାୟତା ଏବଂ ପ୍ରଯୁକ୍ତି ବିଦ୍ୟା ପର୍ଯ୍ୟନ୍ତ ସବୁକିଛି ଆଫଗାନିସ୍ତାନକୁ ଦେବାକୁ ଆରମ୍ଭ କଲା । ଆଉ ଧିରେ ଧିରେ ଦୁର୍ବଳ ହେବାକୁ ଲାଗିଲା ତାଲିବାନ ଆତଙ୍କବାଦୀ ସଂଗଠନ । ହେଲେ ଦୀର୍ଘ ୨୦ ବର୍ଷ ପରେ ଆମେରିକାର ଗୋଟିଏ ନିଷ୍ପତ୍ତି ପୁନଶ୍ଚ ଆଫଗାନିସ୍ତାନକୁ ଏକ ସଂକଟାଭିମୁଖୀ ଭବିଷ୍ୟତ ଆଡକୁ ଠେଲିଦେଲା । ତେବେ ଆସନ୍ତୁ ଜାଣିବା ଆଫଗାନୀସ୍ତାନରେ ତାଲିବାନ ରାଜ କରିବାର କଣ ଥିଲା ସମ୍ପୂର୍ଣ୍ଣ ଘଟଣାକ୍ରମ ।
* ୧୪ ଏପ୍ରିଲ ୨୦୨୧ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘୋଷଣା କଲେ ଯେ, ମେ ୧ ତାରିଖରୁ ଆମେରିକା ନିଜ ସୈନ୍ୟଙ୍କୁ ସ୍ବଦେଶକୁ ପ୍ରତ୍ୟାବର୍ତନ ଆରମ୍ଭ କରିବ ଏବଂ ଅଗଷ୍ଟ ୩୧ ସୁଦ୍ଧା ସମସ୍ତ ସୈନ୍ୟ ଆମେରିକା ଫେରିଯିବେ ।
* ୪ ମେ ୨୦୨୧ରେ ଆମେରିକା ସୈନ୍ୟଙ୍କ ପ୍ରତ୍ୟାବର୍ତନ ଆରମ୍ଭ ହେବା ସହିତ ଆତଙ୍କବାଦୀ ସଂଗଠନ ତାଲିବାନ, ଆଫଗାନିସ୍ତାନ ସୈନ୍ୟଙ୍କ ବିରୋଧରେ ଦକ୍ଷିଣ ହେଲମନ୍ଦ ପ୍ରାନ୍ତରେ ସାମରିକ ଅଭିଯାନ ଆରମ୍ଭ କରିଦେଲା ।
* ୧୧ ଜୁନ ୨୦୨୧ରେ ରାଜଧାନୀ କାବୁଲର ନିକଟତମ ନେର୍ଖ ଜିଲ୍ଲାକୁ କବ୍ଜା କଲା ତାଲିବାନ । ସେହି ମସୟରେ ଦେଶର ଅନେକ ପ୍ରାନ୍ତରେ ଆଫଗାନ ସୈନ୍ୟ ଏବଂ ତାଲିବାନୀଙ୍କ ମଧ୍ୟରେ ପ୍ରବଳ ସଂଘର୍ଷ ଲାଗିରହିଥିଲା । ଆଫଗାନିସ୍ତାନରେ ଜତିସଂଘର ବିଶେଷ ଦୂତଙ୍କ କହିବା ଅନୁଯାଯୀ, ସମୁଦାୟ ୩୭୦ ଜିଲ୍ଲା ମଧ୍ୟରୁ ୫୦ ଜିଲ୍ଲାରେ ତାଲିବାନ କବ୍ଜା କରିସାରିଛି ।
* ୨ ଜୁଲାଇ ୨୦୨୧ରେ ଆମେରିକା ସୈନ୍ୟ ଚୁପଚାପ୍ ବଗରାମ ଏୟାପୋର୍ଟରୁ ରାତାରାତି ଚାଲିଯାଇଥିଲେ । ତାହା ଦର୍ଶାଉଥିଲା ଯେ, ଆମେରିକା ଆଫଗାନିସ୍ତାନ ଯୁଦ୍ଧରୁ ନିଜକୁ ନିବୃତ୍ତ ରଖିବାର ସଂକେତ । ଏହାପରେ ତାଲିବାନ ଆହୁରି ଆକ୍ରମଣାତ୍ମକ ହୋଇଉଠିଥିଲା ।
* 13 ଅଗଷ୍ଟ ୨୦୨୧ରେ ତାଲିବାନ, ଆଫଗାନିସ୍ତାନର ଦ୍ବୀତିୟ ବଡ ସହର କାନ୍ଦାହାରକୁ କବଜା କରିନେଇଥିଲା ।
* ୧୪ ଅଗଷ୍ଟ ୨୦୨୧ରେ ମଜାର-ଏ-ଶରିଫ ସହରରେ ତାଲିବାନୀ ପତାକା ଉଡିବା ଆରମ୍ଭ କଲା । ଆମେରିକା ସେତେବେଳେ ତା’ର ବାକି କର୍ମଚାରୀଙ୍କୁ ଆଫଗାନିସ୍ତାନରୁ ନେବା ପାଇଁ ସୈନ୍ୟ ପଠାଇଥିଲା । ଅନ୍ୟପଟେ ତାଲିବାନ କାବୁଲ ଅଭିମୁଖେ ମାଡିଚାଲିଥିଲା । ତାଲିବାନର କାବୁଲରେ ପ୍ରବେଶ ଖବର ଶୁଣି ରାଷ୍ଟ୍ରପତି ଆଶ୍ରଫ ଘାନୀ ଦେଶ ଛାଡି କାଜାକିସ୍ଥାନ ଚାଲିଯାଇଥିବା ଖବର ସାନ୍ନାକୁ ଆସିଲା ।
* ୧୫ ଅଗଷ୍ଟ ୨୦୨୧ରେ ତାଲିବାନଙ୍କ ପ୍ରବେଶ କାବୁଲରେ ହୋଇସାରିଥାଏ । ତାଲିବାନ କମାଣ୍ଡର ରାଷ୍ଟ୍ରପତି ଭବନ ଭିତରେ ପ୍ରବେଶ କରିସାରିଥିଲା । ଆଉ ଆଫଗାନିସ୍ତାନରେ ଆରମ୍ଭ ହେଲା ତାଲିବାନୀ ରାଜ ।
୨. ଆମେରିକା ରାଷ୍ଟ୍ରପତି ଶପଥଗ୍ରହଣ ଉତ୍ସବ
ବିଶ୍ବର ଶକ୍ତିଶାଳୀ ଦେଶ ୟୁନାଇଟେଡ ଷ୍ଟେଟ ଆମେରିକାର ୪୬ ତମ ରାଷ୍ଟ୍ରପତି ନିର୍ବାଚନ କୌଣସି ଫିଲ୍ମଠାରୁ କମ ନଥିଲା । ଗୋଟିଏ ପଟେ ରିପବ୍ଲିକାନ ପାର୍ଟିର ଡୋନାଲ୍ଡ ଟ୍ରମ୍ପ ଅନ୍ୟପଟେ ଡେମୋକ୍ରାଟିକ ପାର୍ଟିର ଜୋ ବାଇଡେନ । ନିର୍ବାଚନ ପ୍ରସ୍ତୁତି ଠାରୁ ଆରମ୍ଭ କରି ଶପଥ ଗ୍ରହଣ ଉତ୍ସବ ପର୍ଯ୍ୟନ୍ତ ଅତ୍ୟନ୍ତ ରୋମାଞ୍ଚକ ଥିଲା ସମସ୍ତ ପ୍ରକ୍ରିୟା । ଶେଷରେ ୨୭୦ ଇଲେକ୍ଟୋରାଲ ଭୋଟରେ ବଜୟୀ ହୋଇଥିଲେ ଜୋ ବାଇଡେନ । ନିର୍ବାଚନ ସରିବାର ଦୀର୍ଘ ମାରାଥନ ପରେ ୨୦୨୧ ଜାନୁଆରୀ ୨୦ ତାରିଖରେ ଶପଥ ନେଇଥିଲେ ଜୋ ବାଇଡେନ । ଆଉ ଅକ୍ତିଆର କରିଥିଲେ ଶକ୍ତିଶାଳୀ ରାଷ୍ଟ୍ରର ଶକ୍ତିଶାଳୀ ସିଂହାସନ ।
* ଜୋ ବାଇଡେନ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ପେଞ୍ଚ ଅଟକିଥିଲା ପେନସିଲଭାନିଆରେ । କାରଣ ସେଠାରେ ଟ୍ରମ୍ପ ଆଗୁଆ ଚାଲିଥିଲେ । ଯେତେବେଳେ ମେଲ-ଇନ୍ ଭୋଟ ଗଣତି ଆରମ୍ଭ ହେଲା ବାଇଡେନ ଆଗକୁ ଚାଲିଗଲେ । ତାହା ପୂର୍ବରୁ ଏକ ଖବର ଆସିଥିଲା ଯେ, ଫିଲାଡେଲ୍ଫିଆରେ ନକଲି ବ୍ୟାଲେଟ ଯାଇଥିବା କାରଣରୁ କିଛି ଲୋକଙ୍କୁ ଗିରଫ କରାଯାଇଛି ।
* ଜୋ ବାଇଡେନଙ୍କ ସପକ୍ଷରେ ମତ ଆସିବାକ୍ଷଣି ବାଇଡେନ ଟ୍ବିଟ କରି କହିଥିଲେ, ‘‘ଆମେରିକା, ମୁଁ ବହୁତ ସମ୍ମାନୀତ ଅନୁଭବ କରୁଛି ଯେ, ଦେଶର ନେତୃତ୍ବ ପାଇଁ ମତେ ବାଛିଛନ୍ତି । ଆଗକୁ କାମ କଠିନ ହେବ, ହେଲେ ପ୍ରତିଜ୍ଞା କରୁଛି ମୁଁ ସମସ୍ତ ଦେଶବାସୀଙ୍କ ରାଷ୍ଟ୍ରପତି ହୋଇ ରହିବି- ଆପଣ ମତେ ଭୋଟ ଦିଅନ୍ତୁ ଅବା ନଦିଅନ୍ତୁ । ଆପଣଙ୍କ ଭରସାକୁ ମୁଁ ସମ୍ପୂର୍ଣ୍ଣ କରିବି ।
* ବାଇଡେନ ସରକାରରେ ଭାରତୀୟଙ୍କ ଛାପ: ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ଭାରତର କମଲା ହାରିସ୍ । ପ୍ରଥମ କୃଷ୍ଣକାୟ ଭାବେ ସେ ଏହି ପଦ ପାଇଛନ୍ତି । କମଲାଙ୍କ ମା’ ଭାରତୀୟ ହୋଇଥିବା ବେଳେ ପିତା ଥିଲେ ଜାମାଇକାର ।
୩. ସ୍ବେଜ କେନାଲରେ ଫଶିଲା ଏଭର ଗିଭେନ ଜାହାଜ
* ଲାଲ ସାଗର ଏବଂ ଭୂମଧ୍ୟ ସାଗର ମଧ୍ୟରେ ଥିବା ଛୋଟ କିନ୍ତୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଜଳମାର୍ଗ ହେଉଛି ସ୍ବେଜ କେନାଲ । ଏହି ବାଣିଜ୍ୟକ ଜଳମାର୍ଗରେ ଏଭର ଗିଭେନ ନାମକ ଏକ ବିଶାଳକାୟ କଣ୍ଟେନର ଜାହାଜ ଦୀର୍ଘ ଏକ ସପ୍ତାହ ପର୍ଯ୍ୟନ୍ତ ଫସି ରହିଥିଲା । ସେହି ଜାହାଜର ଲମ୍ବ ଥିଲା ୪୦୦ ମିଟର ଏବଂ ଚଉଡା ଥିଲା ୫୯ ମିଟର । ଯାହାର ଦୁଇପାର୍ଶ୍ବରେ ଶତାଧିକ ଜାହାଜ ଟ୍ରାଫିକ ସମସ୍ୟା ଯୋଗୁଁ ଫସି ରହିଥିଲା । ଯାହାଦ୍ବାରା ବିଶ୍ବ ଅର୍ଥନୀତିକୁ ଏକ ଶକ୍ତ ଝଟକା ଲାଗିଥିଲା ।
* MB EVER GIVEN ଜାହାଜ ଦୁନିଆର ସବୁଠାରୁ ବଡ ଜାହାଜ ମଧ୍ୟରୁ ଗୋଟିଏ । ମାର୍ଚ୍ଚ ୨୩ରେ ତାହା ଚିନ୍ରୁ ନେଦରଲାଣ୍ଡର ପୋର୍ଟ ସେଟେରଡମ ଯାଉଥିଲା । ସେତେବେଳେ ମାର୍ଗରେ ସ୍ବେଜ କେନାଲ ଠାରେ ଭୀଷଣ ପବନ ବୋହିବା ଆରମ୍ଭ ହୋଇଥିଲା । ଆଉ ଜାହାଜଟି ତେର୍ଛା ଭାବେ ଫସିଯାଇଥିଲା । ଯେଉଁଥିରେ କେନାଲଟି ସମ୍ପୂର୍ଣ୍ଣ ବ୍ଲକ ହୋଇଯାଇଥିଲା । ଅଧିକାରଙ୍କ କହିବା ମୁତାବକ ସେହିବାଟ ଦେଇ ପ୍ରତିଦିନ ପାଖାପାଖି ୫୦ ଜାହାଜ ଯିବାଆସିବା କରିଥାଏ ।
* ନ୍ୟୁଜ ଏଜେନ୍ସି ମୁତାବକ ସ୍ବେଜ କେନାଲରେ ଫଶିଥିବା ଦୁନିଆର ସବୁଠାରୁ ବଡ ଜାହାଜକୁ ବାହାର କରିବା ପାଇଁ ଟଗବୋଟ୍ସର ସାହାଯ୍ୟ ନିଆଯାଇଥିଲା । ଟଗବୋଟ୍ସ ହେଉଛି ସେହି ଯନ୍ତ୍ର ଯେଉଁଥିରେ ଜାହାଜକୁ ଟାଣିକରି ନିଆଯାଏ । ସେହି ଜାହାଜକୁ ବାହାର କରିବା ପାଇଁ ୧୩ଟି ଟଗବୋଟ୍ସ ଲଗାଯାଇଥିଲା । ଜାହାଜକୁ ମୁକ୍ତ କରିବା ପାଇଁ ବହୁତ ଚ୍ୟାଲେଞ୍ଜ ଥିଲା, କାରଣ ସେଥିରେ ୨.୨୦ ଲକ୍ଷ ଟନରୁ ଅଧିକ ଜିନିଷ ଲଦାଯାଇଥିଲା । ଏହା ସହିତ ଡ୍ରୋଜରର ମଧ୍ୟ ବ୍ୟବହାର କରାଯାଇଥିଲା । ଏହି ଡ୍ରୋଜର ଦ୍ବାରା ଜାହାଜ ପାଖରେ ପ୍ରାୟ ୨୫-୩୦ ହଜାର କ୍ୟୁବିକ ମିଟର ମାଟି ଖୋଳାଯାଇଥିଲା । ଏହି ଜାହାଜରେ ପେଟ୍ରୋଲିୟମ ଉତ୍ପାଦନ ଠାରୁ ଆରମ୍ଭ କରି ଖାଇବା ପିଇବା ସାମଗ୍ରୀ ଲଦା ଯାଇଥିଲା । ସ୍ବେଜ କେନାଲ ଆଉ ଏକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ କାରଣ ୭ ହଜାର କିଲୋମିଟରର ଦୂରତାକୁ ମାତ୍ର ୩୦୦ କିଲୋମିଟରରେ କଭର କରିହୁଏ । ଯେଉଁଥିରେ ସମୟ ଆଉ ଟଙ୍କା ମଧ୍ୟ ଅନେକ ମାତ୍ରାରେ ସଞ୍ଚୟ କରିହୁଏ ।