ଭୁବନେଶ୍ବର : ‘ବିଶ୍ୱ କୃଷି ଓ ଖାଦ୍ୟ ସଂଗଠନ’ ୨୦୧୪ ମସିହାରୁ ଡିସେମ୍ବର ୫ ତାରିଖକୁ ବିଶ୍ୱ ମୃତ୍ତିକା ଦିବସ ଭାବରେ ପାଳନ କରିଆସୁଛି । ଆଜି(ରବିବାର) କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ରାଜ୍ୟସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ସ୍ଥାନୀୟ କୃଷି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଭାଗୀୟ କମିଶନର ତଥା ଶାସନ ସଚିବ ସୁରେଶ କୁମାର ବଶିଷ୍ଠ , ଓୟୁଏଟିର କୁଳପତି ଡ. ପବନ କୁମାର ଅଗ୍ରୱାଲ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶକ ଡ. ରୋହିତ କୁମାର ଲେଙ୍କା ଯୋଗ ଦେଇଛନ୍ତି ।
ବିଶ୍ୱ ମୃତ୍ତିକା ଦିବସର ଉପାଦେୟତା ତଥା ଚଳିତ ବର୍ଷର ବାର୍ତ୍ତା ‘ମୃତ୍ତିକା ଲବଣତାର ପ୍ରତିରୋଧ ଓ ଏହାର ଉତ୍ପାଦିକା ଶକ୍ତି ବୃଦ୍ଧି’ ଉପରେ ଆଲୋକପାତ କରିଛନ୍ତି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଶାସନ ସଚିବ ସୁରେଶ ବଶିଷ୍ଠ ତାଙ୍କ ଅଭିଭାଷଣରେ ମାଟିର ସୁସ୍ଥତା ବଜାୟ ରଖିବା ପାଇଁ ଜନସଚେତନତା କାର୍ଯ୍ୟକ୍ରମ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । ବିଭାଗର ସମସ୍ତ ଉତ୍ପାଦନ ଭିତ୍ତିକ ଯୋଜନାରେ ମାଟି ସ୍ୱାସ୍ଥ୍ୟ ପରିଚାଳନା ଓ ବିଭିନ୍ନ ରୁଗ୍ଣ ମାଟିର ସୋଧନ ଏବଂ ଏହାର ଉତ୍ପାଦିକା ଶକ୍ତି ବୃଦ୍ଧି ବିଷୟରେ କାର୍ଯ୍ୟକ୍ରମ ରଖିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି ।
ତିନିଗୋଟି ନିର୍ଦ୍ଦେଶାଳୟର ମିଳିତ ପ୍ରୟାସରେ ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଚାଷୀମାନଙ୍କୁ ସନ୍ତୁଳିତ ସମନ୍ୱିତ ସାର ପରିଚାଳନା ଉପରେ ତାଲିମ ପ୍ରଦାନ ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଉତ୍ସବର ପ୍ରାରମ୍ଭରେ କୃଷି ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଛନ୍ତି । କୃଷି ବିଭାଗରେ ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା ଉପରେ ହେଉଛି କାର୍ଯ୍ୟକ୍ରମ । ମୃତ୍ତିକାକୁ ସୁସ୍ଥ ରଖିବା ପାଇଁ ରାଜ୍ୟର ବିଭିନ୍ନ ମୃତ୍ତିକା ପରୀକ୍ଷାଗାର ଗୁଡ଼ିକରେ ମୃତ୍ତିକା ପରୀକ୍ଷା କାର୍ଡ ଚାଷୀମାନଙ୍କ ମଧ୍ୟରେ ବଣ୍ଟନ କରାଯାଉଛି । ମୃତ୍ତିକା ସ୍ୱାସ୍ଥ୍ୟ ଉପଯୋଗୀ ସାର ପରିଚାଳନା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି । ସେ ତାଙ୍କ ଅଭିଭାଷଣରେ ରାଜ୍ୟରେ ୧୩ ଲକ୍ଷ ଚାଷୀମାନଙ୍କୁ ୩୯ ଲକ୍ଷ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିବା ସୂଚନା ଦେଇଛନ୍ତି ।
ମୁଖ୍ୟବକ୍ତା ଭାବରେ ଓୟୁଏଟିର କୁଳପତି ଡ. ଅଗ୍ରୱାଲ ମାଟିର ଲବଣତା କିପରି ହ୍ରାସ କରାଯିବ ତାହା ଉପରେ ବିଶେଷ ସନ୍ଦର୍ଭ ରଖିଛନ୍ତି । ମାଟିର ସୁସ୍ଥତା ବଜାୟ ରଖିବା ପାଇଁ ପ୍ରକୃତି ଓ ପୂର୍ବ ପୁରୁଷମାନେ ବିଭିନ୍ନ ପ୍ରତିଷେଧକ ବ୍ୟବସ୍ଥା ଯଥା-ଜଳ ପରିଚାଳନା, ଫସଲ କିସମ ପରିଚାଳନା, ମାଟିରେ ଜୈବିକ ଅଙ୍ଗାର ବୃଦ୍ଧି ପାଇଁ ଗୋବର ଖତ ଆଦି ଯୋଗାଇ ମାଟିର ସୁସ୍ଥତା ବଜାୟ ରଖୁଥିଲେ । ବର୍ତ୍ତମାନର ଆହ୍ୱାନ ଅନୁସାରେ ମୃତ୍ତିକା ଲବଣତାର ହ୍ରାସ ଓ ମାଟିର ଉତ୍ପାଦିକା ଶକ୍ତି ବୃଦ୍ଧି କରିବାକୁ ହେଲେ ପ୍ରଥମେ ପ୍ରତିଷେଧକ ବ୍ୟବସ୍ଥା, ମାଟିର ସ୍ୱାସ୍ଥ୍ୟ ପରିଚାଳନା ଯୋଜନା ଏବଂ ମାଟିର ସୋଧନ ଓ ପୁନରୁଦ୍ଧାର ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।