ଭୁବନେଶ୍ବର: ବିଶ୍ବ ତମାଖୁ ବର୍ଜନ ଦିବସରେ ରାଜ୍ୟକୁ ତମାଖୁ ମୁକ୍ତ କରିବା ପାଇଁ ରାଜ୍ୟର ବିଭିନ୍ନ ବିଭାଗ ପକ୍ଷରୁ ନିଷ୍ପତ୍ତି । କିପରି ଓଡିଶା ତମାଖୁମୁକ୍ତ ରାଜ୍ୟ ଭାବେ ପରିଗଣିତ ହେବ, ସେନେଇ ଆଲୋଚନା କରାଯାଇଛି । ରିପୋର୍ଟ ଅନୁଯାୟୀ ତମାଖୁ ବ୍ୟବହାର ବର୍ତ୍ତମାନ ବିଶ୍ୱ ସ୍ୱାସ୍ଥ୍ୟ ପାଇଁ ଏକ ବଡ଼ ବିପଦ ଭାବେ ଉଭା ହୋଇଛି ।
ତମାଖୁ ସେବନ କାରଣରୁ ବର୍ଷକୁ 7 ନିୟୁତରୁ ଅଧିକ ଲୋକଙ୍କ ଜୀବନ ଯାଉଛି । ବିପଦଜନକ କଥା ହେଉଛି କି ଆମ ରାଜ୍ୟର ନାବାଳିକା ଏବଂ ନାବାଳିକାମାନେ ଏପରି ଏକ କୁଅଭ୍ୟାସ ଜାଲରେ ପଡୁଛନ୍ତି । ଓଡିଶା ଗ୍ଲୋବାଲ୍ ୟୁଥ୍ ତମାଖୁ ସର୍ଭେ 2019 ରିପୋର୍ଟରୁ ଜଣାପଡିଛି ଯେ, ଓଡିଶାର ପ୍ରାୟ 7% ନାବାଳକ ଏବଂ 5.5% ନାବାଳିକା ବିଭିନ୍ନ ପ୍ରକାରର ତମାଖୁ ବ୍ୟବହାରକୁ ନିୟମିତ ଅଭ୍ୟାସରେ ପରିଣତ କରି ସାରିଛନ୍ତି । ଯାହାକି ଭବିଷ୍ୟତ ପାଇଁ ବିପଦ ଅଟେ । ଯେଉଁ ନାବାଳକ ନାବାଳିକାମାନେ ତମାଖୁ ସେବନ କରୁଛନ୍ତି ସେମାନଙ୍କ ହାରାହାରି ବୟସ ୧୧ ବର୍ଷ ମଧ୍ୟରେ ରହୁଛି ।
ବିଶ୍ବ ତମାଖୁ ବର୍ଜନ ଦିବସ, ଗଠନ ହେଲା ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ଏପଟେ ଅତିରିକ୍ତ ଶାସନ ସଚିବ ଆର.କେ ଶର୍ମା କହିଛନ୍ତି ଯେ, 'ତମାଖୁ ନିୟନ୍ତ୍ରଣ ଆଇନଗୁଡ଼ିକର ଉତ୍ତମ ମନିଟରିଂ ପାଇଁ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ଗଠନ କରାଯାଇଛି । ସମସ୍ତ ଜିଲ୍ଲାକୁ ତମାଖୁ ନିୟନ୍ତ୍ରଣ ଆଇନ କାର୍ଯ୍ୟକାରୀ କରିବା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତି ପ୍ରଦାନ କରାଯାଇଛି । ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ଉତ୍ପାଦ ଅଧିନିୟମ 2003 ଅନୁଯାୟୀ 6000 ରୁ ଅଧିକ ଉଲ୍ଲଙ୍ଘନକାରୀଙ୍କ ଠାରୁ ମୋଟା ଅଙ୍କର ଜରିମାନା କରାଯାଇଛି ।'
ଅନ୍ୟପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, 'ଟବାକୋରେ 60 ରୁ 70 ପ୍ରକାରର କେମିକାଲ ରହିଛି, ଯାହା କ୍ୟାନ୍ସର କରାଇଥାଏ । ରାଜ୍ୟରେ ମୁଖ କର୍କଟ ରୋଗୀ ସଂଖ୍ୟା ଅଧିକ । ଏହାର ବ୍ୟବହାର କମେଇବାକୁ ହେଲେ ସଂଗଠିତ ଭାବରେ ପ୍ରୟାସ ଆବଶ୍ୟକ । ସମସ୍ତ ସ୍କୁଲ ଓ କଲେଜରେ ଟବାକୋ ଫ୍ରି କରିବାକୁ ପ୍ରୟାସ ଚାଲିଛି । ପିଲାଙ୍କୁ ସଚେତନ କରାଯାଉଛି ।' ଏହାକୁ ରୋକିବାକୁ ରାଜ୍ୟର ସ୍ବତନ୍ତ୍ର ଟିମ ଗଠନ କରାଯାଇଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ତେବେ ୧୯୮୭ ମସିହାରୁ ବିଶ୍ବ ତମାଖୁ ବର୍ଜନ ଦିବସ ପାଳନ ହୋଇଆସୁଛି । ୨୦୧୩ ରେ ରାଜ୍ୟ ସରକାର ତମାଖୁ ଓ ନିକୋଟିନକୁ ବ୍ୟାନ କରିଛନ୍ତି । ତଥ୍ୟ ଅନୁସାରେ ଅନେକ ବେଆଇନ ଆଡ୍ଡା ଉପରେ ଚଢ଼ଉ କରି ଖୋର୍ଦ୍ଧା ସବୁଠୁ ଅଧିକ ଟଙ୍କାର ଫାଇନ ଆଦାୟ କରିଛି । ଗଞ୍ଜାମରେ ସର୍ବାଧିକ ଏନଫୋର୍ସମେଣ୍ଟ ଟିମ୍ ନିୟୋଜିତ କରି ରେଡ୍ କରୁଛି । କାର୍ଯ୍ୟାନୁଷ୍ଠାନ ଦିଗରେ ପୋଲିସ ସହାୟତା ପ୍ରଦାନ କରୁଥିବାରୁ ଡିଜି ପୋଲିସଙ୍କୁ ଅତିରିକ୍ତ ଶାସନ ସଚିବ ସମ୍ବର୍ଦ୍ଧନା କରିଥିଲେ । ଏହାଛଡା କାର୍ଯ୍ୟକ୍ରମରେ ମିଶନ ଶକ୍ତି, ଫୁଡ୍ ସେଫ୍ଟି ବିଭାଗ, ଅବକାରୀ, ଗଣ ଶିକ୍ଷା ବିଭାଗକୁ ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କୃତ କରାଯାଇଥିଲା ।
ଇଟିଭି ଭାରତ, ଭୁବନେଶ୍ବର