ଓଡିଶା

odisha

ETV Bharat / city

World Elephant Day: କେତେ ସଚେତନ ସରକାର, ହାତୀ ଶୂନ୍ୟ ହୋଇ ଯିବକି ଓଡ଼ିଶା ? - ରାଜ୍ୟରେ ହାତୀ ମୃତ୍ୟୁ ସଂଖ୍ୟା

ଆଜି ବିଶ୍ବ ହାତୀ ଦିବସ (World Elephant Day) । ବର୍ତ୍ତମାନ ସମୟରେ ପୃଥିବୀର ସବୁଠାରୁ ବୃହତ୍ତମ ପ୍ରାଣୀ ହେଉଛି ହାତୀ । ରାଜ୍ୟରେ କ୍ରମାଗତ ଭାବେ ଲୋପ ପାଉଛି ହାତୀଙ୍କ ସଂଖ୍ୟା । ଛବିରେ ରହିଯାଇଛି ବନ୍ୟପ୍ରାଣୀ ସୁରକ୍ଷା ଅଭିଯାନ । ତେଣୁ ହାତୀ ବଂଶ ସୁରକ୍ଷା ଏବେ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚାଲେଞ୍ଜ ପାଲଟିଛି । ଅଧିକ ପଢ଼ନ୍ତୁ

World Elephant Day
World Elephant Day: କେତେ ସଚେତନ ସରକାର, ହାତୀ ଶୂନ୍ୟ ହୋଇ ଯିବକି ଓଡ଼ିଶା!

By

Published : Aug 12, 2022, 10:23 PM IST

Updated : Aug 12, 2022, 10:30 PM IST

ଭୁବନେଶ୍ୱର/କଟକ: ଆଜି ସାରା ବିଶ୍ବ ପାଳୁଛି ହାତୀ ଦିବସ । 2012ରୁ ପ୍ରତିବର୍ଷ ଅଗଷ୍ଟ 12 ତାରିଖକୁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଏହି ଦିବସ ପାଳନ କରାଯାଇଥାଏ । ଓଡ଼ିଶା ଇତିହାସରେ ହାତୀଙ୍କ ସ୍ଥାନ ସର୍ବଦା ଉପରେ । ସେ ଯୁଦ୍ଧ ହେଉ କି ଅଟ୍ଟାଳିକା ନିର୍ମାଣ ସବୁ ଦିଗରେ ହାତୀଙ୍କ ଉପସ୍ଥିତି ରହିଛି । ଯାହା ଓଡ଼ିଶାର ଐତିହ୍ୟ କୀର୍ତ୍ତିରାଜି ବର୍ଣ୍ଣନା କରୁଛି। ବର୍ତ୍ତମାନ ସମୟରେ ହାତୀ ସୁରକ୍ଷା ଓ ବଂଶ ବୃଦ୍ଧି ଉପରେ ଫୋକସ ଦେଉଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ତେବେ ଓଡ଼ିଶାରେ ହାତୀଙ୍କ ସ୍ଥିତି କଣ ? କେତେ ସୁରକ୍ଷିତ ଅଛନ୍ତି ହାତୀ, ତାହା ଏବେ ବଡ଼ ପ୍ରଶ୍ନ। କେବେ ଶିକାରୀ ଗୁଳି ତ ଆଉ କେବେ ଟ୍ରେନ ନେଉଛି ହାତୀଙ୍କ ଜୀବନ । ଏଭଳି ବିଭିନ୍ନ କାରଣକୁ ନେଇ ଓଡ଼ିଶା ହାତୀ ଏବେ ସଙ୍କଟରେ ।

World Elephant Day

ଗତ 10 ବର୍ଷ ମଧ୍ୟରେ ଗଲାଣି 1140 ହାତୀଙ୍କ ପ୍ରାଣ । ଏହାବ୍ୟତୀତ ଗତ 5 ବର୍ଷ ମଧ୍ୟରେ ହାତୀ ମୃତ୍ୟୁ ଗଣନା ସର୍ଵାଧିକ ରହିଛି। ଯଦି କଟକର ଆଠଗଡ଼, ବଡ଼ମ୍ବା, ନରସିଂହପୁର କଥା କୁହାଯାଏ ତେବେ 2019-22 ମଧ୍ୟରେ ହାତୀମୃତ୍ୟୁ ପ୍ରସଙ୍ଗ ବେଶ ଚିନ୍ତା ଜନକ ରହିଛି । ଯେଉଁ ଭଳି ଭାବରେ ଓଡିଶାରେ ହାତୀ ମୃତ୍ୟୁ ହେବାରେ ଲାଗିଛି ଆଗାମୀ ଦିନରେ ଓଡିଶା ହାତୀ ଶୂନ୍ୟ ହୋଇଯିବ । ଏପରି ଆଶଙ୍କା ଦୃଢ ହେବାରେ ଲାଗିଛି । ରାଜ୍ୟରେ ହାତୀ ମୃତ୍ୟୁ ଘଟଣା ଏବେ ସ୍ବଭାବିକ ହେବାରେ ଲାଗିଛି । ନିକଟରେ ବଡ଼ମ୍ବା, ଆଠଗଡ଼, ଗଞ୍ଜାମ, ସମ୍ବଲପୁରରୁ ଦାନ୍ତ ପାଇଁ ଦନ୍ତା ହତ୍ୟା ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟରେ ହାତୀ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ହାତୀ ହତ୍ୟା ପଛରେ କିଛି ବନ ବିଭାଗର ହାତ ରହିଥିବା ପ୍ରମାଣ ମିଳିଛି ।

ଆଠଗଡ଼ ବନଖଣ୍ଡରୁ ଉଦ୍ଧାର 3ଟି ହାତୀ କଙ୍କାଳର ନମୂନାକୁ ଫୋରେନ୍ସିକ୍ ଟେଷ୍ଟ ପାଇଁ ଓୟୁଏଟି ୱାଇଲ୍ଡ ଲାଇଫ୍ ସେଣ୍ଟରକୁ ପଠାଯାଇଛି । ପରୀକ୍ଷଣରୁ ହାତୀଗୁଡ଼ିକର ଲିଙ୍ଗ ନିରୂପଣ ସହ ମୃତ୍ୟୁର କାରଣ ଓ କେବେ ମୃତ୍ୟୁ ହୋଇଥିଲା ତାହା ସ୍ପଷ୍ଟ ହେବ । ସେହିଭଳି ନରସିଂହପୁରରେ ଗୁଳିବିଦ୍ଧ ହାତୀର ମୃତ୍ୟୁ ଘଟଣାରେ କାଜୁ ବଗିଚାରେ ପଶିବାରୁ ଲୋକେ ହାତୀକୁ ଗୁଳିମାଡ଼ କରିଥିଲେ । ଏହି ଘଟଣାରେ ଜଡ଼ିତ 4 ଜଣଙ୍କ ମଧ୍ୟରୁ 3 ଜଣଙ୍କୁ ଗିରଫ କରାଯାଇଛି। କେବଳ ମେ' ମାସରେ ବୌଦ୍ଧ ଜିଲ୍ଲାରେ 3 ଦିନ ମଧ୍ୟରେ ଶିକାରୀ ମାନଙ୍କ ଦ୍ଵାରା 2ଟି ହାତୀର ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲାରେ ମାଲାବାହୀ ଟ୍ରେନ ଧକ୍କାରେ 2 ଛୁଆ ହାତୀ ସମେତ 3 ହାତୀର ମୃତ୍ୟୁ ଘଟିଥିଲା। ସେହିପରି ଭାବରେ ଚନ୍ଦକାରେ ନନ୍ଦ ହାତୀର ମୃତ୍ୟୁ ଘଟିଥିଲା। ଫେବୃଆରୀ ମାସରେ କଳାହାଣ୍ଡିରେ ଲଗାତାର ଭାବେ 6ଟି ହାତୀର ମୃତ୍ୟୁ ଘଟିଥିବା ବେଳେ ନରସିଂହପୁର ବନାଞ୍ଚଳାରେ 5ଟି ହାତୀର ଅସ୍ଵାଭାବିକ ଭାବରେ ମୃତ୍ୟୁ ଘଟିଥିଲା ।

2012ରେ ଓଡିଶା ସରକାରଙ୍କ ଦ୍ଵାରା ଏକ ସର୍କୁଲାର କରାଯାଇଥିଲା, ଯାହା ହାତୀମାନଙ୍କର ଅପ୍ରାକୃତିକ ମୃତ୍ୟୁ ପାଇଁ DFOଙ୍କୁ ଉତ୍ତରଦାୟୀ କରିବା ପାଇଁ ଉଦ୍ଦିଷ୍ଟ ଥିଲା । ତାହା ଏପର୍ଯ୍ୟନ୍ତ କାଗଜରେ ରହିଛି। ବନାଞ୍ଚଳରେ ହାତୀ ମୃତ୍ୟୁର ଦୀର୍ଘ ଦିନ ପରେ ସନ୍ଧାନ ମିଳୁଛି। ହେଲେ ବନ କର୍ମଚାରୀଙ୍କର କାର୍ଯ୍ୟରେ ଅବହେଳା ପାଇଁ ଶିକାରୀମାନେ ହାତୀକୁ ମାରି ଅନେକ ମୂଲ୍ୟବାନ ଜିନିଷ ନେଇଯାଉଛନ୍ତି। ଏନେଇ ପିସିସିଏଫ ସଂରକ୍ଷଣକାରୀ କେଦାର ସ୍ଵାଇଁ କହିଛନ୍ତି, "ହାତୀ ମୃତ୍ୟୁକୁ ନେଇ ପ୍ରତ୍ୟେକ ବିଭାଗ ସଜାଗ ରହିବା ଆବଶ୍ୟକ। କିଛି ଦିନ ତଳେ ହାଇକୋର୍ଟ ହାତୀ ମୃତ୍ୟୁ ପ୍ରସଙ୍ଗରେ ବିଭିନ୍ନ ଦିଗରୁ ତର୍ଜମା କରି ବିଭାଗକୁ ନିର୍ଦେଶ ଦେଇଛନ୍ତି। କିଭଳି ଭାବରେ ହାତୀର ଅହେତୁକ ମୃତ୍ୟୁ ରୋକାଯାଇ ପାରିବ ଏବଂ ଶିକାରୀଙ୍କୁ ଗିରଫ କରାଯାଇପାରିବ ସେନେଇ ପ୍ରାୟାସ କରାଯାଉଛି। "

ସେ ଆହୁରି ମଧ୍ୟ କହିଛନ୍ତି, "ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ହାତୀଙ୍କୁ ରୋଗ। ରାଜ୍ୟ ସରକାର ଯେଉଁ ପ୍ରକାରର ଏସଓପି ଦେଇଛନ୍ତି ସମସ୍ତେ ଏହାକୁ ପାଳନ କରନ୍ତୁ । ଏହା ଦ୍ଵାରା ହାତୀର ଆହେତୁକ ଅପମୃତ୍ୟୁକୁ ନିଶ୍ଚିତ ଭାବରେ ରୋକିହେବ।"

ମଣିଷ ଓ ହାତୀ ମଧ୍ୟରେ ସୃଷ୍ଟି ହୋଇଥିବା ଲଢେଇ ଏବେ ନିରୀହ ଗଜରାଜଙ୍କ ପ୍ରାଣ ନେଉଛି । ହାତୀଙ୍କ ଜନ୍ମ ଅନୁପାତରେ ମୃତ୍ୟ ସଂଖ୍ୟା ଢେର ଗୁଣା ବଢି ଯାଇଛି । ଦିବସ ପାଳନ ନକରି ହାତୀଙ୍କ ସୁରକ୍ଷା ଦିଗକୁ ତୃଣମୂଳ ସ୍ଥରକୁ ଯାଇ ପରଖିବା ପାଇଁ ପରିବେଶବିତମାନେ ଦାବି କରିଛନ୍ତି । ଯଦି କ୍ରମାଗତ ଭାବରେ ଏହିଭଳି ହାତୀ ମୃତ୍ୟ ବଢିଚାଲେ, ତେବେ ଆଗାମୀ ପିଢ଼ି ପାଇଁ ଜଙ୍ଗଲରେ ନୁହେଁ ବରଂ କେବଳ ବହିରେ ଶୋଭା ପାଇବ ଗଜରାଜଙ୍କ ଛବି ।

କଟକରୁ ପ୍ରଭୁକଲ୍ୟାଣ ପାଲ ଏବଂ ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Aug 12, 2022, 10:30 PM IST

ABOUT THE AUTHOR

...view details