ଭୁବନେଶ୍ବର: ଆଜି ବିଶ୍ବ ହାତୀ ଦିବସ । ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଇଥାଏ । 2012ରୁ ଅଗଷ୍ଟ 12 ତାରିଖରୁ ଏହି ଦିବସ ପାଳନ କରାଯାଉଛି । ତେବେ ହାତୀ କେତେ ସୁରକ୍ଷିତ, ଓଡିଶାରେ ହାତୀଙ୍କ ସ୍ଥିତି କଣ । ହାତୀ ଦିବସ ଆସିଲେ ଆମ ମନରେ ଏ ପ୍ରଶ୍ନ ଆସେ । ସୋସିଆଲ ମିଡିଆଠାରୁ ଆରମ୍ଭ କରି ନେତାଙ୍କ ଭାଷଣବାଜିରେ ହାତୀ ସୁରକ୍ଷା ନାରା ହେଲେ କେତେ ସୁରକ୍ଷିତ ହାତୀ, ସେ ନେଇ ଇଟିଭି ଭାରତର ସ୍ବତନ୍ତ୍ର ଉପସ୍ଥାପନା...
ଗ୍ରୀନ ରୁଟର ଅଭାବ କାରଣରୁ ବଢୁଛି ହାତୀ ମୃତ୍ୟୁ 1979 ଗଣନା ଅନୁସାରେ ରାଜ୍ୟରେ ମୋଟ ହାତୀ ସଂଖ୍ୟା 2044 ଥିଲା । 2017 ଗଣନାରେ ଏହି ସଂଖ୍ୟା 1976କୁ ଖସିଆସିଥିଲା । ତେବେ ପିସିସିଏଫଙ୍କ ଅନୁସାରେ ଆମ ରାଜ୍ୟରେ ବର୍ତ୍ତମାନ 2000 ହାତୀ । ଦୀର୍ଘ 10 ବର୍ଷ ହେବ ହାତୀ ସଂଖ୍ୟାରେ କୌଣସି ବୃଦ୍ଧି ପରିଲିକ୍ଷୀତ ହେଉନାହିଁ ।
ବିଶେଷଜ୍ଞଙ୍କ କହିବାନୁସାରେ, ଏଯାଏଁ ହାତୀଙ୍କ ପାଇଁ ନାହିଁ ଗ୍ରୀନ ରୁଟର ବ୍ୟବସ୍ଥା । ହାତୀଙ୍କ ପାଇଁ ନାହିଁ ସବୁଜ ପଥ । ତାଙ୍କ ଯାତାୟତରେ ସୃଷ୍ଟି ହେଉଛି ସମସ୍ୟା ଫଳରେ ଜନବସତି ଆଡକୁ ମୁହାଁଉଛନ୍ତି ହାତୀ । ଆଉ ଏହି କାରଣରୁ ହାତୀ-ମଣିଷ ଲଢେଇରେ ପଡିପାରିନି ପୂର୍ଣ୍ଣଚ୍ଛେଦ । କିଛି ଅସାଧୁ ବନ କର୍ମଚାରୀ,ଅଫିସର ଓ ଜଙ୍ଗଲ ଦସ୍ୟୁଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଯୋଗୁ ହାତୀ ଶିକାର ବଢିବାରେ ଲାଗିଛି । ଗତ ୧୦ ବର୍ଷ ଭିତରେ ହାତୀ-ମଣିଷ ଲଢେଇରେ ୭୪୪ ମଣିଷ ଓ ୭୪୦ ହାତୀଙ୍କର ଜୀବନ ଯାଇଛି । ବିଗତ ୯ ମାସର ମଧ୍ୟରେ ୫୫ ହାତୀ ଓ ୮୫ ମଣିଷ ମରିଛନ୍ତି । ଏହା ସର୍ବାଧିକ ବୋଲି କୁହାଯାଉଛି । 95 ପ୍ରତିଶତ ହାତୀଙ୍କ ମୃତ୍ୟୁ ମଣିଷଙ୍କ କାର୍ଯ୍ୟକଳାପ କାରଣରୁ ହେଉଛି । ବନବିଭାଗର ଅପାରଗତା ଜଙ୍ଗଲମାଫିଆଙ୍କୁ ମୁହଁ ଦେଉଛି ।
ପ୍ରତିବର୍ଷ ଯେତିକି ହାତୀ ଜନ୍ମ ନେଉଛନ୍ତି, ସେତିକି ହାତୀ ମୃତ୍ୟୁବରଣ ମଧ୍ୟ କରୁଛନ୍ତି । ଜଙ୍ଗଲପଥରେ ରାଜପଥ, ରେଳପଥ, ବିଦ୍ୟୁତସଂଯୋଗ କାରଣରୁ ଅନେକ ହାତୀ କେବେ ଦୁର୍ଘଟଣା ତ କେବେ ବିଦ୍ୟୁତ ଆଘାତରେ ପ୍ରାଣ ହରାଉଛନ୍ତି । ଜଙ୍ଗାଲ ଅବକ୍ଷୟ ହାତୀ ମୃତ୍ୟୁର ଏକ କାରଣ ହୋଇପାରେ । ରାଜ୍ୟରେ ହାତୀଙ୍କ ସୁରକ୍ଷା ଲାଗି ଗଜ ଗାଡି ଓ ଗଜବନ୍ଧୁ ଯୋଜନା ହୋଇଥିଲା । କିନ୍ତୁ ସଠିକ ପରିଚାଳନା ଅଭାବରୁ ଏହି ଯୋଜନା ଫେଲ ମାରିଛି । ଅନ୍ୟପକ୍ଷେ ପିସିସିଏଫ କିନ୍ତୁ ହାତୀଙ୍କ ପାଇଁ ସମସ୍ତ ଯୋଜନା କରାଯାଇଥିବା ଯୁକ୍ତି ବାଢୁଛନ୍ତି ।
ଭୁବନେଶ୍ବରରୁ ତପନ ଦାଶ, ଇଟିଭି ଭାରତ