ଭୁବନେଶ୍ବର: ଦେଶର ବିଭିନ୍ନ ଶିଳ୍ପ ସଂସ୍ଥାରେ ଏବେ କୁଶଳୀ କାରିଗରଙ୍କ ଅଭାବ ଦେଖାଦେଇଛି । ଶିଳ୍ପ ସଂସ୍ଥା ଲାଗି ଏହା ଏକ ବିପଦ । ଏଥିପାଇଁ ଛୋଟ ବଡ ଶିଳ୍ପ ସଂସ୍ଥା କୁଶଳୀ ଓ ଦକ୍ଷ କାରିଗର ଚୟନ କରିବା ଜରୁରୀ । ଏହାସହ ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ତ୍ବରାନ୍ବିତ କରିବା ଆବଶ୍ୟକ ବୋଲି ‘ଗ୍ରାମୀଣ ଯୁବପିଢିଙ୍କ ମଧ୍ୟରେ ଦକ୍ଷତା’ କର୍ମଶାଳାରେ ମତ ପ୍ରକାଶ ପାଇଛି ।
ଭୁବନେଶ୍ବରରେ ଆଜି(ବୁଧବାର) ଦକ୍ଷତା ବିକାଶ ସମ୍ପର୍କିତ ଦିନିକିଆ କର୍ମଶାଳା ଆୟୋଜିତ ହୋଇଥିଲା । ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓଡିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି(ଓର୍ମାସ) ଏହାର ଆୟୋଜକ ଥିଲା । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ସଚିବ ଦେଓରଞ୍ଜନ କୁମାର ସିଂହ(IAS) ଏହାକୁ ଉଦଘାଟନ କରିଥିଲେ ।
କର୍ମଶାଳା ପ୍ରାରମ୍ଭରେ ଅନ୍ୟମାନଙ୍କ ମଧ୍ୟରେ ସ୍ପେଶାଲ ଫଣ୍ଡ ପ୍ରୋଜେକ୍ଟର ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ(IAS), ଓର୍ମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ସ୍ମୃତି ରଞ୍ଜନ ପ୍ରଧାନ(IAS) ଏବଂ ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟର ସଭାପତି ମୁକ୍ତିକାନ୍ତ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । କର୍ମଶାଳାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଅତିଥିଗଣ ଆଲୋକପାତ କରିଥିଲେ । କର୍ମଶାଳାରେ ୫ଟି ପର୍ଯ୍ୟାୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲ।।