ଭୁବନେଶ୍ବର: ପ୍ରତ୍ୟେକ ପ୍ରାଣୀ ଏକ ଉତ୍ତମ ଜୀବନ ବଞ୍ଚିବା ଲାଗି ହକ୍ଦାର । କୃଷିଭବନରେ ଗୁରୁବାର ଜୀବ ମଙ୍ଗଳ ପାଇଁ ରାଜ୍ୟ ସରକାରଙ୍କ ନୂତନ ଯୋଜନା ଆରମ୍ଭ କର୍ମଶାଳାର ଉଦ୍ଘାଟନୀ ସଭାରେ ଏହା କହିଛନ୍ତି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ । ମଣିଷର ସୁବିଧାବାଦୀ ଜୀବନଶୈଳୀ ପାଇଁ ବୁଲା ଓ ବେସାହାରା ପ୍ରାଣୀଙ୍କ ଜୀବନରେ ବିପର୍ଯ୍ୟୟ ସୃଷ୍ଟି ହେବା ଉଚିତ୍ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଚିତ୍ ଦିଗ୍ଦର୍ଶନରେ ବୁଲା ଓ ବେସାହାରା ପ୍ରାଣୀଙ୍କ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରିଛନ୍ତି ।
ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଅଧୀନରେ ନୂତନ ଜୀବ ମଙ୍ଗଳ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାଗୁଡ଼ିକ ସ୍ଥାନୀୟ ସଂସ୍ଥା, ଜୀବେ ନିଷ୍ଠୁରତା ନିରୋଧ ସମିତି, ଜୀବ ମଙ୍ଗଳ କାର୍ଯ୍ୟକ୍ରମ ସହ ଜଡ଼ିତ ସ୍ବେଚ୍ଛାସେବୀ ବେସରକାରୀ ସଂଗଠନ ଏବଂ ରାଜ୍ୟ ଜୀବ ମଙ୍ଗଳ ପରିଷଦର ସମନ୍ବୟରେ କାର୍ଯ୍ୟକାରୀ ହେବ । ରାଜ୍ୟରେ ନୂତନ ଗୋରୁ ଆଶ୍ରୟ ଗୃହ /ଗୋଶାଳା ପ୍ରତିଷ୍ଠା ପାଇଁ ଜୀବ ମଙ୍ଗଳ ସହ ଜଡ଼ିତ ସ୍ବେଚ୍ଛାସେବୀ ଅଣ-ସରକାରୀ ସଂଗଠନଗୁଡ଼ିକ ରାଜ୍ୟ ସରକାରଙ୍କଠାରୁ ଅନୁଦାନ ପାଇ ପାରିବେ ।
ମ୍ୟୁନିସିପାଲ କର୍ପୋରେସନ, ମ୍ୟୁନିସିପାଲିଟି ଏବଂ ଏନ୍.ଏ.ସି.ରେ ବୁଲା ଗୋରୁ ସମସ୍ୟାର ସମାଧାନ ଉଦ୍ଦେଶ୍ୟରେ ଗୋଶାଳା ପ୍ରତିଷ୍ଠା କରାଯିବ । ଏଥିପାଇଁ ଯୋଗ୍ୟ ସଂଗଠନଗୁଡ଼ିକୁ ପୁଞ୍ଜି ଭିତ୍ତିଭୂମି ସହାୟତା ଦିଗରେ ଏହି ଆର୍ଥିକ ସହାୟତା ପ୍ରଦାନ କରାଯିବ । ଗୋରୁ ଆଶ୍ରୟସ୍ଥଳର କ୍ଷମତାକୁ ଆଧାର କରି ସରକାର ୧୬ରୁ ୫୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏକକାଳୀନ ପୁଞ୍ଜି ଅନୁଦାନ ପ୍ରଦାନ କରିବେ । ଏହି ଯୋଜନା ଅନ୍ତର୍ଗତ ପ୍ରସ୍ତାବଗୁଡ଼ିକ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ନିକଟରେ ଦାଖଲ କରାଯିବ । ବୁଲା ଓ ବେସାହାରା ପ୍ରାଣୀଙ୍କୁ ଚିକିତ୍ସା ସେବା ଓ ଆଶ୍ରୟସ୍ଥଳ ପ୍ରଦାନ ପାଇଁ ଭିତ୍ତିଭୂମି ନିର୍ମାଣ ଦିଗରେ ରାଜ୍ୟ ସରକାର ଜୀବ ମଙ୍ଗଳ ସହ ଜଡ଼ିତ ସ୍ବେଚ୍ଛାସେବୀ ସଂଗଠନଗୁଡ଼ିକୁ ସହାୟତା ଯୋଗାଇ ଦେବେ । ଏହି ଯୋଜନାଗୁଡ଼ିକ ରାଜ୍ୟ ଜୀବ ମଙ୍ଗଳ ବୋର୍ଡ ଦ୍ବାରା ଜିଲ୍ଲା ଜୀବେ ନିଷ୍ଠୁରତା ନିରୋଧ ସମିତି ମାଧ୍ୟମରେ କାର୍ଯ୍ୟକାରୀ ହେବ ।