ଭୁବନେଶ୍ବର: ମାର୍ଚ୍ଚ ୨୮ ଓ ୨୯ ତାରିଖରେ କେନ୍ଦ୍ର ଟ୍ରେଡ୍ ୟୁନିଅନ ପକ୍ଷରୁ ସର୍ବଭାରତୀୟ ସ୍ତରରେ ଧର୍ମଘଟ ଡାକରା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ, କୃଷକ ବିରୋଧୀ, ଜନ ବିରୋଧୀ ତଥା କର୍ପୋରେଟ କ୍ଷେତ୍ରରେ ପ୍ରଭାବ ପକାଇବା ଭଳି ନୀତିକୁ ବିରୋଧ କରି ଏହି ଧର୍ମଘଟ ଡାକରା ଦିଆଯାଇଛି । ଏହାକୁ ଶ୍ରମିକ ସଂଗଠନ ମିଳିତ ମଞ୍ଚ ପକ୍ଷରୁ ସମର୍ଥନ ଦିଆଯାଇଛି । ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ଶ୍ରମିକ ସଂଗଠନ ମିଳିତ ମଞ୍ଚ ।
କୋଭିତ-19 ମହାମାରୀର ସୁଯୋଗ ନେଇ କେନ୍ଦ୍ର ସରକାର ଶ୍ରମିକ, କୃଷକ ଓ ଦେଶବାସୀଙ୍କୁ ଶୋଷଣ କରିଥିବା ଅଭିଯୋଗ ହୋଇଛି । କୋଭିଡ କାଳରେ 1.5 କୋଟିରୁ ଅଧିକ ଶ୍ରମିକ ନିଜର ଜୀବିକା ହରାଇଛନ୍ତି । 23 କୋଟିରୁ ଅଧିକ ଶ୍ରମିକଙ୍କ ଆୟ 80 ପ୍ରତିଶତକୁ ହ୍ରାସ ପାଇଥିବା ଅଭିଯୋଗ ହୋଇଛି । କେନ୍ଦ୍ର ସରକାର ଅତ୍ୟଧିକ ଟିକସ ଆଦାୟ କରୁଥିବାରୁ ପେଟ୍ରୋଲଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଇଛି । ଏହାର ପ୍ରଭାବ ଅନ୍ୟ ସମସ୍ତ ଦ୍ରବ୍ୟର ମୂଲ୍ୟ ଉପରେ ପଡ଼ୁଥିବା ଅଭିଯୋଗ ହୋଇଛି ।