ଭୁବନେଶ୍ବର: ‘‘ମହିଳାମାନେ ବିକାଶର ମୁଖ୍ୟ । ସେମାନଙ୍କର ବିକାଶର ଆବଶ୍ୟକତା ନାହିଁ । ଏହି ପୁରୁଷକୈନ୍ଦ୍ରିକ ସମାଜରେ ମହିଳାମାନଙ୍କ ହାତରେ ହିଁ ବିକାଶର ଚାବିକାଠି ରହିଛି । ସେମାନେ ବିକାଶର ପ୍ରକୃତ ଅଧିକାରିଣୀ ।’’ ଶିଶୁ ଓ ମହିଳା ବିକାଶ ସୋସାଇଟିର ବାର୍ଷିକ ଉତ୍ସବ ଓ ଦେବଦୂତ ଆଓ୍ବାର୍ଡ ଅଫ୍ ଏକ୍ସଲେନ୍ସ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏହା କହିଛନ୍ତି ।
ଓଡ଼ିଶା ଆସୋସିଏସନ ଫର୍ ବ୍ଲାଇଣ୍ଡ, ଖାରବେଳ ନଗର, ଭୁବନେଶ୍ୱର ଠାରେ ଶିଶୁ ଓ ମହିଳା ବିକାଶ ସୋସାଇଟିର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଉଦଘାଟନ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସମାଜ ପାଇଁ ସେବା ଯୋଗାଉଥିବା ୯ ଜଣ ବ୍ୟକ୍ତିଙ୍କୁ ଦେବଦୂତ ଆଓ୍ବର୍ଡ ଅଫ୍ ଏକ୍ସଲେନ୍ସରେ ସମ୍ମାନିତ କରାଯାଇଛି ।
କାର୍ଯ୍ୟକ୍ରମରେ କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ସସ୍ମିତା ସାମନ୍ତ, ୟୁଏନଡିପିର ଓଡ଼ିଶା ମୁଖ୍ୟ ଆଭା ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଏହି ଅବସରରେ ଦିବ୍ୟାଙ୍ଗମାନଙ୍କ ଦ୍ୱାରା ପ୍ରଦର୍ଶିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଦିବ୍ୟାଙ୍ଗ, ଆଦିବାସୀ ତଥା ସମାଜର ଅନ୍ୟ ଅପହଞ୍ଚ ବ୍ୟକ୍ତିଙ୍କ ଉନ୍ନତି ପାଇଁ ସିଡବ୍ଲୁଡିଏସ ଦ୍ୱାରା କରାଯାଇଥିବା ଆଦର୍ଶ କାର୍ଯ୍ୟକୁ ପ୍ରତିପାଦନ କରୁଥିବା ପୁସ୍ତକ ଦେବଦୂତ ରାଜ୍ୟପାଳଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା ।