ଭୁବନେଶ୍ବର: ରାଜଧାନୀରେ ଏକୁଟିଆ ମହିଳାଙ୍କୁ ଟାର୍ଗେଟ । ରାସ୍ତାରେ ଚାଲୁଥିବା ବା ବାଇକରେ ଯାଉଥିବା ମହିଳାକୁ ନୁହେଁ, ବରଂ ଚଳନ୍ତା ଅଟୋରେ ଯିବା ବେଳେ ଧାରୁଆ ଅସ୍ତ୍ରରେ ମହିଳାଙ୍କୁ ଆକ୍ରମଣ ହୋଇଛି । ପରେ ମହିଳାଙ୍କ ଭ୍ୟାନିଟ ବ୍ୟାଗ ଝାମ୍ପି ଦୁର୍ବୃତ୍ତ ଚମ୍ପଟ ମାରିଛନ୍ତି । ଏଭଳି ଘଟଣା ନୟାପଲ୍ଲୀ ଥାନା ଷ୍ଟୁଆର୍ଟ ସ୍କୁଲ ସାମ୍ନାରେ ଘଟିଛି ।
ଚଳନ୍ତା ଅଟୋରେ ଆକ୍ରମଣ, ମହିଳାଙ୍କ ପର୍ସ ଝାମ୍ପି ବାଇକରେ ଚମ୍ପଟ ଦୁର୍ବୃତ୍ତ ଲୁଟ ଆଉ ଆକ୍ରମଣର ଶିକାର ହୋଇଛନ୍ତି ଖଣ୍ଡଗିରି ବରବାରୀର ଜଣେ ମହିଳା ଶୁଭଶ୍ରୀ ଆଚାର୍ଯ୍ୟ । ମହିଳାଙ୍କ ହାତ ଓ ବେକରେ ଆଘାତ ଲାଗିଥିବା ବେଳେ ଦାମୀ ମୋବାଇଲ ସମେତ ଅଢେଇ ହଜାର ଟଙ୍କା ଓ ଦାମୀ ଘଣ୍ଟା ନେଇ ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ । ସୂଚନା ମୁତାବକ ଦୀର୍ଘ ୧ ମାସ ଧରି ଜାଗମରା ବରବାରୀରୁ ଜଣେ ମହିଳା ତାଙ୍କ ଝିଅକୁ ଆଣି CBI ଅଫିସ ପାଖରେ ଟ୍ୟୁସନରେ ଛାଡିଥାନ୍ତି । ଗୁରୁବାର ଅପରାହ୍ନ 5ଟା ସମୟରେ ମହିଳା ଜଣଙ୍କ ଝିଅକୁ ଛାଡି ଏକ ଅଟୋରେ ଘରକୁ ଫେରୁଥିବା ବେଳେ ଘଟିଛି ଏହି ଘଟଣା ।
ଷ୍ଟୁଆର୍ଟ ଛକ ଟ୍ରାଫିକ ପରେ ପରେ 3ଜଣ ଦୁର୍ବୃତ୍ତ ବାଇକରେ ଆସି ଚଳନ୍ତା ଅଟୋର ସାଇଡରେ ଯାଉଥିଲେ । ହଠାତ ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ଭ୍ୟାନିଟ ବ୍ୟାଗ ଝାମ୍ପିବାକୁ ଆରମ୍ଭ କରିଥିଲା । ଚଳନ୍ତା ଅଟୋରେ ମହିଳା ଜଣକ ବସିଥିବା ବେଳେ ବ୍ୟାଗଟିକୁ ଭିଡି ଧରିଥିଲେ । ହେଲେ ହଠାତ ଆଉ ଜଣେ ଯୁବକ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଆହାତ ମହିଳା ଜଣକ ପ୍ରଥମେ ଖଣ୍ଡଗିରି ପରେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଏହି ଘଟଣାକୁ ନେଇ ମହିଳା ଜଣକ ବେଶ ଭୟଭୀତ ଥିବା ବେଳେ ଏକୁଟିଆ ପିଲାଙ୍କୁ ନେଇ ଯିବାକୁ ଭୟ କରିଛନ୍ତି । ଏ ନେଇ ପୋଲିସ ବିଭିନ୍ନ ଗ୍ୟାଙ୍ଗକୁ ଠାବ କରୁଥିଲେ ମଧ୍ୟ ଲୁଟେରାଙ୍କୁ ଲଗାମ ଲଗେଇ ପାରୁନି ପୋଲିସ । ଯାହକୁ ନେଇ ସହରବାସୀ ବେଶ ଆତଙ୍କିତ ହୋଇପଡ଼ିଛନ୍ତି । ଲୁଟ ମୋବାଇଲର ଲୋକେସନ ମାଳିସାହି ଦେଖାଯାଉଥିବା ବେଳେ ବସ୍ତିରୁ ଏହି କ୍ରିମିନାଲ ଆକ୍ଟିଭ ଥିବା ଜଣାପଡିଛି । ଯାହକି କମିଶନରେଟ ପୋଲିସର ବସ୍ତି ଚାଲ ଅଭିଯାନକୁ ଖୋଲା ଚ୍ୟାଲେଞ୍ଜ କରିଛି ।
ଇଟିଭି ଭାରତ, ଭୁବନେଶ୍ବର