ଭୁବନେଶ୍ବର: ରାଜ୍ୟରେ 5'ଟି' ମନ୍ତ୍ରର ତଦାରଖ କରିବାକୁ ଗତ କିଛିଦିନ ହେବ 5'ଟି' ସଚିବ ଭି କେ ପାଣ୍ଡିଆନ ଓ ତାଙ୍କ ଟିମ୍ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି । ଏହି ଗସ୍ତ ସମୟରେ ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟସେବାର ଅନୁଧ୍ୟାନ କରୁଛନ୍ତି । ହେଲେ ଗତ କିଛି ଦିନ ତଳେ ରାଜ୍ୟର ରାଜଧାନୀ କ୍ୟାପିଟାଲ ହସ୍ପିଟାଲରେ ଜଣେ ଡାକ୍ତରଙ୍କ ଅବହେଳା କାରଣରୁ ଜଣେ ମହିଳା କ୍ୟାପିଟାଲ ହସ୍ପିଟାଲ ପାଖ ରାସ୍ତାରେ ପ୍ରସବ କରିଥିଲେ । ଯାହା 'ମୋ ସରକାର' କାର୍ଯ୍ୟକ୍ରମକୁ ଏକ ପ୍ରହସନ ବୋଲି ସାବ୍ୟସ୍ତ କରୁଛି ।
ଉକ୍ତ ଘଟଣା ପରେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମନରେ ଭୟ ସୃଷ୍ଟି ହୋଇଛି । ସୋମବାର ଖୋଦ୍ ହସ୍ପିଟାଲ ନିର୍ଦ୍ଦେଶକ ଓ ଏକ ଟିମ୍ ହସ୍ପିଟାଲର ବିଭିନ୍ନ ୱାର୍ଡ ବୁଲି ସ୍ଥିତି ପରଖିଛନ୍ତି । ସ୍ବଚ୍ଛତା ଓ ରୋଗୀ ସେବାକୁ ନେଇ ତଦାରଖ କରିଥିଲେ । ଏଥିସହିତ ହସ୍ପିଟାଲର ଅନେକ ଅବ୍ୟବସ୍ଥାକୁ ନେଇ ହସ୍ପିଟାଲର କର୍ମଚାରୀଙ୍କୁ କଡା ତାଗିଦ୍ ମଧ୍ୟ କରିଛନ୍ତି । କେବଳ ସେତିକି ନୁହେଁ ଆଗାମୀ ଦିନରେ ହସ୍ପିଟାଲରେ ଏକ ଟିମ୍ ଗଠନ କରାଯାଇ ସ୍ବଚ୍ଛତା ଉପରେ ଏକ କାର୍ଯ୍ୟକ୍ରମ କରାଯିବା ସହ ହସ୍ପିଟାଲରେ ଥିବା ବିଭିନ୍ନ ସମସ୍ୟାର ଖୁବଶୀଘ୍ର ସମାଧାନ କରାଯିବ । ଏଥିସହିତ ହସ୍ପିଟାଲରେ ଉନ୍ନତମାନର ରୋଗୀ ସେବା ଏବଂ 100 ବେଡ ବିଶିଷ୍ଟ ଏକ ବିଲ୍ଡିଂ ନିର୍ମାଣ ନେଇ କାର୍ଯ୍ୟ ମଧ୍ୟ କରାଯିବ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି ।