ଓଡିଶା

odisha

ETV Bharat / city

ପ୍ରାକୃତିକ ଦୁର୍ବିପାକ ନୁହେଁ ଡାହାଣୀ ନେଲାଣି 53 ମୁଣ୍ଡ - witchcraft prevention workshop

ଦେଶରେ ପ୍ରାକୃତିକ ଦୁର୍ବିପାକ ଅପେକ୍ଷା ଡାହାଣୀ ଓ ଗୁଣିଆ ସନ୍ଦେହରେ ବାର୍ଷିକ ହାରାହାରି ୫୩ ଜଣଙ୍କୁ ହତ୍ୟା କରାଯାଉଛି । ଅଧିକ ଖବର ପଢନ୍ତୁ...

witchcraft prevention
ପ୍ରାକୃତିକ ଦୁର୍ବିପାକ ଅପେକ୍ଷା ଡାହାଣୀ ଓ ଗୁଣିଆ ସନ୍ଦେହ ଜନିତ ମୃତ୍ୟୁ ଅଧିକ

By

Published : Dec 10, 2019, 11:33 PM IST

ଭୁବନେଶ୍ବର:ଦେଶରେ ଡାହାଣୀ ଓ ଗୁଣିଆ ସନ୍ଦେହରେ ବାର୍ଷିକ ହାରାହାରି ୫୩ ଜଣଙ୍କୁ ହତ୍ୟା କରାଯାଉଛି । ଯାହାକି ପ୍ରାକୃତିକ ଦୁର୍ବିପାକ ଓ ମହାମାରୀ ମୃତ୍ୟୁ, ଚାଷୀ ଆତ୍ମହତ୍ୟା, ନକ୍ସଲ ହତ୍ୟା ଭଳି ସାମାଜିକ ସମସ୍ୟା ଠାରୁ ଢେର ଅଧିକ। ୨୦୧୦ ମସିହାରୁ ଚଳିତ ବର୍ଷର ଶେଷ ସୁଦ୍ଧା ଡାହାଣୀ ଓ ଗୁଣିଆ ସନ୍ଦେହଜନିତ ହତ୍ୟା ସଂଖ୍ୟା ୫୩୩ରେ ପହଞ୍ଚିଛି। ମୋଟ ହତ୍ୟା ଘଟଣା ଭିତରୁ ୨୫୪ ଜଣ ପୁରୁଷ ଥିବାବେଳେ ୧୯୫ ଜଣ ମହିଳା ଏବଂ ୮୪ ଜଣ ଶିଶୁ ଅଛନ୍ତି। ଆମ ରାଜ୍ୟରେ ଗୁଣିଗାରେଡି ପ୍ରତିକାର ଆଇନ୍‍ ୨୦୧୩ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଏହା କେବଳ ମହିଳା ପୀଡିତାଙ୍କ ଉଦ୍ଦିଷ୍ଟ।

ଏହି ଆଇନରେ ତୁରନ୍ତ ସଂଶୋଧନ କରାଯାଇ ଗୁଣିଆ ସନ୍ଦେହରେ ହତ୍ୟା କରାଯାଉଥିବା ପୁରୁଷଙ୍କୁ ମଧ୍ୟ ଅର୍ନ୍ତଭୂକ୍ତ କରାଯିବା ଆବଶ୍ୟକ ରହିଛି । ସେହିପରି ଏହି ଆଇନରେ ଥିବା ଜୋରିମାନାକୁ ବୃଦ୍ଧି କରିବା ଓ ଦଣ୍ଡ ବ୍ୟବସ୍ଥାକୁ କଡାକଡି ଭାବେ ଲାଗୁ କରିବା ଦରକାର ବୋଲି ଆଜି ସ୍ବେଚ୍ଛାସେବୀ ସଙ୍ଗଠନ ‘ମମତା’ ଦ୍ବାରା ଆୟୋଜିତ ‘ଗୁଣିଗାରେଡି ଓ କୁସଂସ୍କାର ଦୂରୀକରଣ’ ସମ୍ପର୍କିତ ଏକ କର୍ମଶାଳାରେ ମତ ପ୍ରକାଶ ପାଇଛି ।

ଏହି କର୍ମଶାଳାରେ ରାଜ୍ୟ ସୁଚନା କମିଶନର ଶ୍ରୀମତୀ ଶଶି ବିନ୍ଧାଣୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଗୁଣିଗାରେଡି ଓ ଅନ୍ଧବିଶ୍ବାସକୁ ପ୍ରୋତ୍ସାହିତ କରୁଥିବା ଲୋକେ ଆଇନର ପରିସରକୁ ଆସି ପାରୁନାହାଁନ୍ତି। ଏଥିପାଇଁ ତ୍ବରିତ ପଦକ୍ଷେପ ନିହାତି ଆବଶ୍ୟକ ଏବଂ ଏହି ଆଇନକୁ କଡାକଡି ଭାବେ ଲାଗୁ କରିବା ଦରକାର।

କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ନୃତତ୍ତ୍ୱବିଜ୍ଞାନ ଅଧ୍ୟାପିକା ଡ. ଅନ୍ନପୂର୍ଣ୍ଣା ପାଣ୍ଡେ ଯୋଗଦେଇ କହିଲେ ଯେ ଅନ୍ୟ କୌଣସି ବିଷୟ ଭଳି କୁସଂସ୍କାର ମଧ୍ୟ ଆମ ମନର ଏକ ବିଶ୍ବାସ। ଏହା କେବଳ ଓଡିଶା କି ଭାରତ ନୁହେଁ ଆଫ୍ରିକା ମହାଦେଶରେ ମଧ୍ୟ ଅନେକ ଘଟଣା ସାମ୍ନାକୁ ଆସୁଛି। ତୃଣମୂଳ ସ୍ତରର ଗୁଣିଗାରେଡି, ଗୁଣିଆ ଓ ଡାହାଣୀଙ୍କ କାହାଣୀର ମୌଳିକ ଆଧାର ଓ କାରଣ ପାଇପାରିଲେ ଏହାର ପ୍ରତିକାର କରା ଯାଇପାରିବ।

ଆମ ରାଜ୍ୟରେ ମଧ୍ୟ ଗୁଣିଆ ଓ ଡାହାଣୀ ସନ୍ଦେହରେ ହତ୍ୟା ଓ ଅତ୍ୟାଚାର ଘଟଣା କିଛି କମ୍‍ ନୁହେଁ। ଏହି କ୍ଷେତ୍ରରେ ମୟୁରଭଞ୍ଜ, କେଉଁଝର,ସୁନ୍ଦରଗଡ, ଗଞ୍ଜାମ ଓ ରାୟଗଡା ଆଦି ଜିଲ୍ଲା ସବୁଠୁ ଆଗରେ ଅଛନ୍ତି ବୋଲି ବୈଜ୍ଞାନିକ ଚର୍ଚ୍ଚାର ସମ୍ପାଦକ ଦେବେନ୍ଦ୍ର ସୁତାର ମତବ୍ୟକ୍ତ କହିଥିଲେ । ଜମି ଓ ସମ୍ପତ୍ତି ହଡପ, ଯୌନ ଶୋଷଣ କରିବାରେ ବିଫଳତା,ଅସହିଷ୍ଣୁତା, ଅନ୍ଧବିଶ୍ବାସ ଆଦି ମୂଳ କାରଣ ବୋଲି ସେ କହିଥିଲେ। ଏହି ସାମାଜିକ ସଂସ୍କାର ପ୍ରକ୍ରିୟା କେବଳ ଗୋଟିଏ ଦିନ ବା ମାସର ପ୍ରୟାସ ନୁହେଁ ବରଂ ଏହା ଏକ ସାମାଜିକ ଆନ୍ଦୋଳନରେ ପରିଣତ ହେବା ଆବଶ୍ୟକ ।

ଏଥିପାଇଁ ଆମ ମାନସିକତାର ପରିବର୍ତ୍ତନ ପାଇଁ ଶିକ୍ଷା ବ୍ୟବସ୍ଥାରେ ଗୁଣିଗାରେଡି ଓ ଡାହାଣୀ ଆଦି ଭଳି କୁସଂସ୍କାର ସମ୍ପର୍କରେ ସଚେତନଧର୍ମୀ ପାଠ୍ୟକ୍ରମ ସାମିଲ କରିବା ପାଇଁ ବୁଦ୍ଧିଜୀବୀ ସୁପାରିଶ କରିଥିଲେ। ଗୁଣିଗାରେଡି ଓ ଡାହାଣୀ ପ୍ରଥା ଦୂରୀକରଣ ପାଇଁ ଶିକ୍ଷାବିତ୍‍, ସ୍ବେଚ୍ଛାସେବୀ ସଙ୍ଗଠନର ପ୍ରତିନିଧି ଓ ଆଦର୍ଶବାଦୀଙ୍କୁ ନେଇ ଏକ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା। ଆଗାମୀ ଏକ ବର୍ଷର କାର୍ଯ୍ୟ ଯୋଜନା ପ୍ରସ୍ତୁତି କରିବାକୁ ନିଷ୍ପତ୍ତି ନିଆଯାଇଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ,ଇଟିଭି ଭାରତ

ABOUT THE AUTHOR

...view details