ଭୁବନେଶ୍ବର: ଯେତେବେଳେ ରାଜ୍ୟ ସରକାରଙ୍କ ଉପରକୁ ବିରୋଧୀଙ୍କ ଆଙ୍ଗୁଳି ଉଠେ, ସେତେବେଳେ ବଦଳିଯାଏ ଏସପି କମିଶନରଙ୍କ ପଦପଦବୀ ଆଉ ରାତାରାତି ବଦଳି ହୋଇଯାନ୍ତି ଅଫିସର । ଦିନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁଡ୍ ବୁକର ଆଗ ସୂଚୀରେ ରହିଥିବା ଆଇପିଏସ ଅଧିକାରୀ ସୁଧାଂଶୁ ଷଡଙ୍ଗୀ ରାଜ୍ୟ ପୋଲିସ କମିଶନର ପଦରୁ ଆଉଟ ହୋଇଥିବା ବେଳେ ଇନ୍ ହୋଇଛନ୍ତି ଆଉ ଜଣେ ନୂଆ କମିଶନର । ତେବେ ରାତି ଅଧିଆ ସୁଧାଂଶୁଙ୍କ ବଦଳି ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ । ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସୁଧାରିବା ପାଇଁ ସୁଧାଂଶୁଙ୍କୁ କମିଶନର ପଦର ଦାୟିତ୍ବ ନ୍ୟସ୍ତ କରିଥିବା ରାଜ୍ୟ ସରକାର କାହିଁକି ଅଚାନକ ତାଙ୍କୁ ବଦଳି କଲେ, ତାକୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା ।
ରାଜ୍ୟରେ ଅପରାଧର ଫାଇଲ ରେକର୍ଡ ଖୋଳତାଡ ମଧ୍ୟରେ ସୋମବାର କମିଶନରେଟ ପୋଲିସର ସର୍ବୋଚ୍ଚ ସ୍ତରରେ ହୋଇଥିଲା ବଡ ବଦଳି । ସୁଧାଂଶୁ ଷଡଙ୍ଗୀଙ୍କ ହାତରୁ ପୋଲିସ କମିଶନର ପଦ ଛଡାଇ ଆଣି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଦିଆଯାଇଛି ଏହି ଦାୟିତ୍ବ । ଅପରାଧୀଙ୍କୁ ପାତାଳରୁ ଖୋଜିଆଣୁଥିବା ସୁଧାଂଶୁ ଏବେ ଖୋଦ ନିଜେ ପାତାଳି ହୋଇଯାଇଛନ୍ତି ବୋଲି ଚାରିଆଡେ ଆଲୋଚନା ।
ତେବେ ପ୍ରଶ୍ନ ଉଠୁଛି କଣ ପାଇଁ ଅଚାନକ ବଦଳି ହେଲେ ସୁଧାଂଶୁ ଷଡଙ୍ଗୀ? ଦିନକୁ ଦିନ ବଢିଚାଲିଥିବା ଲୋକପ୍ରିୟତା ବାଧା ସୃଷ୍ଟି କଲା ନା ତାଙ୍କ ସଫଳତା ସରକାରଙ୍କ ରାସ୍ତାରେ ସାଜଲା କଣ୍ଟା ? କାରଣ ବେଶ କିଛି ଦିନରୁ ନିଜର ନିଆରା ଅନ୍ଦାଜ ଯୋଗୁଁ ଚର୍ଚ୍ଚାରେ ରହିଆସିଥିଲେ ସୁଧାଂଶୁ । ସେ ଟ୍ବିଟରରେ ଆକ୍ଟିଭ ହେଉ କି ନିଜର ମାଷ୍ଟର ପ୍ଲାନ ବଳରେ ଅପରାଧିଙ୍କୁ କାବୁ କରିବା, ସବୁଥିରେ ସୁଧାଂଶୁଙ୍କ କାର୍ଯ୍ୟଶୈଳୀକୁ ପସନ୍ଦ କରୁଥିଲେ ଜନସାଧାରଣ । ତେବେ ବାରଙ୍ଗ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଆସାମୀକୁ ଧରି ରାଜ୍ୟ ସରକାରଙ୍କୁ ବଡ ସଫଳତା ଦେବା ସତ୍ତ୍ବେ ତାଙ୍କ ବଦଳିକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଲୋକେ ।
ରାଜଧାନୀର କଟା ମୁଣ୍ଡ ଘଟଣା ହେଉ କି ସୁନାଚୋରି ମାମଲା କିମ୍ବା ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ । ରାଜ୍ୟର ଅନେକ ମର୍ଡର ମିଷ୍ଟ୍ରି ଓ ବଡ ବଡ ଅପରାଧର ପର୍ଦ୍ଦାଫାସ କରିଥିବା ସୁଧାଂଶୁଙ୍କ ପାଖରୁ ସିପି ପଦ ଛଡାଇ ନେବା ପଛର ରହସ୍ୟ ଉପରୁ ହଟିପାରୁନି ପରଦା ।
ଯଦି ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣା ବିଚାରକୁ ନେବା ତାହେଲେ, ନିଜ୍ୟ କ୍ୟାରିଅରରେ ଏହା ଥିଲା ସୁଧାଂଶୁଙ୍କ ବଡ ସଫଳତା । 1999ର ବହୁ ଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ଘଟଣାର 22 ବର୍ଷ ପରେ ସୁଧାଂଶୁଙ୍କ ନେତୃତ୍ବରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ବାନ୍ଧିଥିଲା କମିଶନରେଟ ପୋଲିସ । ଏହାପରେ ପ୍ରେସମିଟ୍ କରି ପୂର୍ବତନ ସିପି ସୁଧାଂଶୁ ଷଡଙ୍ଗୀ କରିଥିଲେ ଘଟଣାର ଖୁଲାସା ।