ଭୁବନେଶ୍ବର: ଭକ୍ତି, ଧର୍ମ ଓ ବିଶ୍ବାସର ଦେଶ ଭାରତବର୍ଷ । ବେଦ, ବେଦାନ୍ତ, ପୁରାଣ, ଦର୍ଶନ, ଶାସ୍ତ୍ର, ଉପନିଷଦ ଆମର ସମ୍ପତ୍ତି । ବ୍ରତ, ଓଷା, ଉପବାସ ଆମ ଆସ୍ଥାର ପ୍ରତୀକ । ଉପବାସ ରହି, ଆରାଧନାରେ ଆରାଧ୍ୟଙ୍କୁ ସନ୍ତୁଷ୍ଟ କରି ସୁଖଶାନ୍ତିର ଆଶୀର୍ବାଦ ପାଇବା ପାଇଁ ଅନୁରୋଧ, ଉଚ୍ଚାଶା ଥାଏ ଭକ୍ତ, ଶ୍ରଦ୍ଧାଳୁଙ୍କର । ତଦନୁଯାୟୀ ଅତ୍ୟନ୍ତ ଦୟାଳୁ କୋପେ ବର ଏବଂ ତପେ ବର ମହାଦେବଙ୍କୁ ଶ୍ରାବଣରେ ଜଳାଭିଷେକ କଲେ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଶ୍ରାବଣ ଯାତ୍ରା, ବୋଲବମ ତଥା କାଉଡି ଯାତ୍ରାର ପୌରାଣିକ କଥା । କିଏ, କେବେ ପ୍ରଥମେ ଏହି ଶ୍ରାବଣରେ ପାଣି ଭାର ନେଇ ଶିବଙ୍କ ମସ୍ତକରେ ଅଭିଷେକ କରିଥିଲେ । କିଏ ଥିଲେ ପ୍ରଥମ କାଉଡିଆ ?
ଆଷାଢ଼ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ଶ୍ରାବଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ସମସ୍ତ ସୋମବାରରେ ବିଭିନ୍ନ ଶିବ ମନ୍ଦିରରେ ଭକ୍ତମାନେ ଶିବଙ୍କ ମସ୍ତକରେ ପାଣି ଢାଳନ୍ତି । ବୋଲ ବମ ଯାତ୍ରାରେ ଭାଗ ନେଉଥିବା ଭକ୍ତଙ୍କୁ 'କାଉଡ଼ିଆ' କହାଯାଏ । କୁହାଯାଏ ଶ୍ରାବଣ ସୋମବାରରେ ଜଳପ୍ରିୟ ଶିବଙ୍କୁ ଜଳରେ ଅଭିଷିକ୍ତ କରିଲେ ସୁନ୍ଦର ବାସସ୍ଥାନ, ଇଚ୍ଛାନୁରୂପଧନ, ସନ୍ତାନ, ସନ୍ତତି, ସୁଗଠିତ ଶରୀର, ଆରୋଗ୍ୟ ଜୀବନ, ବସ୍ତ୍ର, ଆଭୂଷଣ, ଜ୍ଞାନ, ଆସାଧାରଣ ପ୍ରତିଷ୍ଠା, ଦୀର୍ଘାୟୁ, ଉତ୍ତମ ବଚନ, ଉତ୍ତମ ମିତ୍ର, ମାନ ସମ୍ମାନର, ସକଳ ପାପ ଓ ସକଳ ସଙ୍କଟମୋଚନ ହୋଇଥାଏ ।
ଏହି ଧାର୍ମିକ ପଦଯାତ୍ରାକୁ ପ୍ରଥମେ ଭଗବାନ ଶ୍ରୀରାମ ତ୍ରେତୟା ଯୁଗରେ ଆରମ୍ଭ କରିଥିବା ମତ ରହିଛି । ମତ ଅନୁସାରେ ମର୍ଯ୍ୟାଦାପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଝାଡଖଣ୍ଡର ସୁଲତନଗଞ୍ଜରୁ କାନ୍ଧରେ ପାଣି ଭାର ନେଇ ବୈଦନାଥସ୍ଥିତ ଜ୍ୟୋତିର୍ଲିଙ୍ଗ ମହାପ୍ରଭୁଙ୍କୁ ଶିବଙ୍କୁ ଜଳାଭିଷେକ କରିଥିଲେ ।
ଅନେକ ପୁରାଣ ପଣ୍ଡିତ, ବିଦ୍ବାନଙ୍କ କଥା ଅନୁସାରେ ପର୍ଶୁରାମ ଭଗବାନ ପ୍ରଥମ କାଉଡିଆ ଥିଲେ । ସେ ଉତ୍ତରପ୍ରଦେଶ ବାଗପତ ନିକଟସ୍ଥ ‘ପୁରା ମହାଦେବ’ଙ୍କୁ ଗଙ୍ଗାନଦୀରୁ ଜଳଭାର ଆଣି ମହାଦେବଙ୍କୁ ଅଭିଷିକ୍ତ କରିଥିଲେ । ପ୍ରାଚୀନ କଥା ଅନୁସାରେ ପର୍ଶୁରାମ ଗଡମୁକ୍ତେଶ୍ବର ଘାଟରୁ ପାଣି ଭାର ଉଠାଇଥିଲେ । ଏହାର ପୌରାଣିକ ମହିମାକୁ ଲକ୍ଷ୍ୟ କରି ଗଡମୁକ୍ତେଶ୍ବର ବର୍ତ୍ତମାନ ବ୍ରଜଘାଟରୁ ଲକ୍ଷାଧିକ ଭକ୍ତ ଶ୍ରାବଣ ମାସରେ ପାଣି ଭାର ଉଠାଇଥାନ୍ତି ।
ସେହିଭଳି ଅନେକ ପୁରାଣ, ଶାସ୍ତ୍ର, ବେଦରେ ଜ୍ଞାନୀଜନଙ୍କ ତଥ୍ୟ ଅନୁସାରେ ଶ୍ରାବଣରେ ବୋଲବମ୍ ଯାତ୍ରା ଶ୍ରବଣକୁମାର ତ୍ରେତୟା ଯୁଗରେ ଆରମ୍ଭ କରିଥିବା କୁହନ୍ତି । ସେ ତାଙ୍କ ମାତାପିତାଙ୍କୁ ତୀର୍ଥ ଯାତ୍ରା କରିବା କ୍ରମରେ ପାଇଁ ହିମାଚଳର ଉନା କ୍ଷେତ୍ରରେ ଅବସ୍ଥାପିତ ଥିଲେ । ତତପରେ ତାଙ୍କ ଅନ୍ଧ ମାତା-ପିତା ହରିଦ୍ବାରରେ ଗଙ୍ଗା ସ୍ନାନ କରିବା ପାଇଁ ଇଚ୍ଛା କରିଥିଲେ ।