ଓଡିଶା

odisha

ଲଗାଣ ବର୍ଷାରେ ବେହାଲ ସ୍ମାର୍ଟ ସିଟି

By

Published : Aug 7, 2019, 12:27 PM IST

ଗତ କିଛି ଦିନ ଧରି ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଲଗାଣ ବର୍ଷାରେ ରାଜଧାନୀର ଅଧାଧିକ ଅଞ୍ଚଳରେ ପାଣି ରହିଛି । ଫଳରେ ଗାଡିଗୁଡିକ ଫସି ରହିବା ସହ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବିଏମସି କମିସନରଙ୍କ ଠୁ ଆରମ୍ଭ କରି ଆଡିସିନାଲ କମିସନର, କର୍ପୋରେଟର ପୂର୍ବତନ ମେୟରଙ୍କ ବଡ ବଡ ବାଣି । ହେଲେ ସମସ୍ୟା ଦେଖାଗଲେ କେହି ଧରାଛୁଆଁ ଦେଉନାହାନ୍ତି । ଫଳରେ କିଏ ସତ କହୁଛି ତ ଆଉ କିଏ ମିଛ କହୁଛି ତାହା ଏବେ ରାଜଧାନୀବାସୀ ଜାଣି ସାରିଲେଣୀ । ସାମାନ୍ୟ ବର୍ଷାରେ ବୁଡି ରହୁଛି ସାରା ସହର । ପାଣି ଜମିବାରୁ ରାସ୍ତା ଘାଟରେ ସୃଷ୍ଟି ହେଉଛି କୃତ୍ରିମ ବନ୍ୟା ପରିସ୍ଥିତି ।। ଫଳରେ ଯାତାୟତ ବାଧାପ୍ରାପ୍ତ ହେବା ସାଙ୍ଗକୁ ପାଣି ଭିତରେ ଫସି ରହୁଛି ଗାଡି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଇସ୍କନ ମନ୍ଦିର ,ନୟାପଲ୍ଲୀ, ବେହେରା ସାହି , ଜୟଦେବ ବିହାର ଛକ, ଆଚାର୍ଯ୍ୟ ବିହାର ଯେମିତି ଲହରୀ ଭାଙ୍ଗୁଛି ବର୍ଷା ପାଣି । ସେହି ସମାନ ସ୍ଥିତି ରସୁଲଗଡ,ବମିଖାଲ ଲକ୍ଷ୍ମିସାଗର ଛକରେ। ଦୀର୍ଘ ସମୟ ଧରି ଗାଡି ଗୁଡିକ ରାସ୍ତା ଉପରେ ଜାମ ହୋଇ ରହିଥିବାର ଦେଖିବାକୁ ମିଳୁଛି । ଭିଭିଆପି ଏରିଆ ହେଲେବି ବର୍ଷା ଜଳରେ ରାସ୍ତାର ଡିଭାଇଡର ଦିଶୁନି। ସ୍ମାର୍ଟ ସିଟି ଯୋଜନାରେ କାମ ସରିଲାଣି । ହେଲେ ରାସ୍ତା ଉପରେ ଜମୁଛି ଆଣ୍ଠୁଏ ପାଣି ।

ଭୁବନେଶ୍ବରରେ ଡ୍ରେନେଜ ସମସ୍ୟା ଯୋଗୁ ଜଳବନ୍ଦୀ ସମସ୍ୟା ଲାଗି ରହୁଛି। ସାମାନ୍ୟ ବର୍ଷା ବିଏମସିର ମୁଣ୍ଡ ବିନ୍ଧାର କାରଣ ହେଉଛି। ଜଳବନ୍ଦୀ ଯୋଗୁ ରାଜଧାନୀର ବିଭିନ୍ନ ସ୍ଥାନରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି, ଯାହା ସାଧାରଣ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details