ଭୁବନେଶ୍ବର: ଚଳିତବର୍ଷ ମୌସୁମୀରେ ସ୍ୱାଭାବିକରୁ ଅଧିକ ବର୍ଷା ହେବ ବୋଲି IMD ପୂର୍ବାନୁମାନ କରିଛି । ଯଦି ଏମିତି ହୁଏ ତେବେ ରାଜ୍ୟରେ ପ୍ରବଳ ବର୍ଷା ପ୍ରଭାବରେ ବନ୍ୟା ଆଶଙ୍କା ଦେଖା ଦେବ । ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହେବ । ଏହାକୁ ଦୃଷ୍ଟିରେ ରଖି ସଜାଗ ହୋଇଛି ଜଳ ସମ୍ପଦ ବିଭାଗ ।
ଆଜି ଏ ନେଇ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ପ୍ରବଳ ବର୍ଷା ହେଲେ ବନ୍ୟା ଆଶଙ୍କା ସୃଷ୍ଟି ହେବାକୁ ଥିବା ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକୁ ଜଳସମ୍ପଦ ବିଭାଗ ପକ୍ଷରୁ ଆଲର୍ଟ କରାଯାଇଛି । ବିଶେଷ କରି କଟକ, ଜଗତସିଂହପୁର, କେନ୍ଦ୍ରାପଡା ଢେଙ୍କାନାଳ ଓ ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ ଓ ଯାଜପୁର ଭଳି ଜିଲ୍ଲାକୁ ଅଧିକ ଫୋକସରେ ରଖାଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି କୌଣସି ଅଫିସର ହେଡ଼କ୍ୱାର୍ଟର ନଛାଡିବାକୁ ବିଭାଗ ପକ୍ଷରୁ କଡା ନିର୍ଦେଶ ଦିଆଯାଇଛି । କିଛି ସ୍ଥାନରେ ନୂଆ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି ।