ଭୁବନେଶ୍ବର:ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଛି । ଫଳରେ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ନଦୀ ଜଳସ୍ତର ବଢିବାରୁ ବନ୍ୟା ଆଶଙ୍କା କରାଯାଉଛି । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଥିବା ସୂଚନା ଦେଇଛନ୍ତି ଯୁଗ୍ମ ସ୍ବତନ୍ତ୍ର ରିଲିଫ କମିଶନର ପଦ୍ମନାଭ ବେହେରା ।
ଯୁଗ୍ମ ଏସଆରସି କହିଛନ୍ତି ଯେ, ମୟୂରଭଞ୍ଜରେ ହାରାହାରି 125 ଓ ବାଲେଶ୍ଵର ଜିଲ୍ଲାରେ 97 ମିଲିମିଟର ବର୍ଷା ରେକର୍ଡ ହୋଇଛି । ଫଳରେ ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଛି । ଏହା ପ୍ରଭାବରେ ବାଲେଶ୍ଵରର ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜି ପାରେ । ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ବାଲେଶ୍ଵରରେ 2ଟି ଅତିରିକ୍ତ ଏନଡିଆରଏଫ, 2ଟି ଓଡ୍ରାଫ ଏବଂ 8ଟି ଅଗ୍ନିଶମ ଟିମ ମୁତୟନ କରାଯାଇଛି ।