ଓଡିଶା

odisha

ETV Bharat / city

ମହିଳା ଭିଏଲଡବ୍ଲ୍ୟୁ ମୃତ୍ୟୁ ମାମଲା: ବିଜେପିର ସିବିଆଇ ତଦନ୍ତ ଦାବି

ମହିଳା ଭିଏଲଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ବାଳଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛି ରାଜ୍ୟ ବିଜେପି। ଗତ 16 ତାରିଖ ବୁଧବାର ଯାଜପୁରର ହରିଦାସପୁର ପଞ୍ଚାୟତରେ ତାଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା ।

ସ୍ମିତା ରାଣୀ ମୃତ୍ୟୁ ମାମଲା

By

Published : Oct 19, 2019, 2:16 PM IST

ଭୁବନେଶ୍ବର: ମହିଳା ଭିଏଲଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ବାଳଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛି ରାଜ୍ୟ ବିଜେପି। ଗତ 16 ତାରିଖ ବୁଧବାର ଯାଜପୁର ଜିଲ୍ଲା ହରିଦାସପୁର ଗ୍ରାମପଞ୍ଚାୟତରେ ତାଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ଏ ଘଟଣାକୁ 4 ଦିନ ବିତି ଯାଇଥିଲେ ମଧ୍ୟ ଏହା ମୃତ୍ୟୁ ନା ହତ୍ୟା ତାହା ବର୍ତ୍ତମାନ ରହସ୍ୟଘେରରେ ରହିଛି।

ଗତ ବୁଧବାର ଭତ୍ତା ବାଣ୍ଟିବା ପାଇଁ ସେ ହରିଦାସପୁର ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ତାଙ୍କ ସହ ଉପସ୍ଥିତ ଥିଲେ ସ୍ଥାନୀୟ ସରପଞ୍ଚଙ୍କ ସ୍ବାମୀ ରୂପେ ଭଦ୍ର ଓ ତାଙ୍କର କେତେକ ସହକର୍ମୀ। ଭତ୍ତା ବଣ୍ଟା ସରିବା ପରେ ଭିଏଲଡବ୍ଲ୍ୟୁ ସ୍ମିତାରାଣୀଙ୍କୁ ଲଞ୍ଚ୍ କରିବା ପାଇଁ ଗେଷ୍ଟହାଉସକୁ ନିମନ୍ତ୍ରଣ କରିଥିଲେ ରୂପେସ। ସେଠାରେ ସ୍ମିତାରାଣୀ ଦୁଇ ମହଲାରେ ଥିବା ବାଥରୁମକୁ ଯିବାକୁ କହି ଆଉ କୋଠରୀରୁ ବାହାରି ନଥିଲେ। ଦୀର୍ଘ ସମୟ ଧରି ସେ ନ ବାହାରିବା ପରେ ସମସ୍ତଙ୍କ ସନ୍ଦେହ ହୋଇଥିଲା। ଏହାପରେ କବାଟ ତାଡିବାରୁ ତାଙ୍କର ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ ସମସ୍ତେ। ତାଙ୍କର ମୃତଦେହକୁ ଉଦ୍ଧାର କରିବା ପରେ ଏକ ମାମଲା ରୁଜ୍ଜୁ କରିଥିଲା ପୋଲିସ। ଏ ଘଟଣାରେ ନିରପେକ୍ଷ ତଦନ୍ତ ଦାବି କରିବା ସହ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ସ୍ମିତାଙ୍କ ବାପା ଅଭିଯୋଗ ଆଣିଛନ୍ତି ।

ସ୍ମିତା ରାଣୀ ମୃତ୍ୟୁ ମାମଲା

ଯାଜପୁରରେ ହୋଇଥିବା ଭିଏଲଡବ୍ଲ୍ୟୁ ମୃତ୍ୟୁ ମାମଲା ରାଜ୍ୟ ବିଜେପିର ଫ୍ୟାକ୍ଟ ଫାଇଣ୍ଡି ଟିମ୍ ଏକ ସାମ୍ବାଦିକ ସମ୍ମିଳନୀ କରିଛି। ମୃତକଙ୍କ ଉପରେ ଚାପ ଥିଲା। ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଦଳ ଅଭିଯୋଗ ଆଣିଛି। ଏନେଇ କୁହାଯାଇଛି, ‘ଆମେ ଘଟଣାସ୍ଥଳରୁ ଯାହା ତଥ୍ୟ ସଂଗ୍ରହ କରିଛୁ ସେଥିରୁ ଜଣାପଡୁଛି ତାଙ୍କୁ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିବା ପରେ ହତ୍ୟା କରାଯାଇଛି। ଆଉ ଯଦି ଏହା ଆତ୍ମହତ୍ୟା, ତେବେ ତାଙ୍କୁ ଏଥିପାଇଁ କିଏ ପ୍ରରୋଚିତ କରିଛି ତାହାର ତଦନ୍ତ କରାଯାଉ। ପୋଲିସ ସଠିକ୍ ଢଙ୍ଗରେ ତଦନ୍ତ କରୁନାହିଁ। ଭିଏଲଡବ୍ଲ୍ୟୁ ସ୍ମିତାରାଣୀ ଓ ସରପଞ୍ଚଙ୍କ ସ୍ବାମୀ ରୂପେସଙ୍କ ମୋବାଇଲ ଫୋନ ଜବତ କରି କଲ୍‌ ରେକର୍ଡ ଯାଞ୍ଚ କରାଯାଉ । ଏହା ସହିତ ନିକଟରେ ଥିବା ରାମକୋ କମ୍ପାନୀକୁ ତଦନ୍ତ ପରିସରଭୁକ୍ତ କରାଯାଉ। ତୁରନ୍ତ ଏ ମାମଲାକୁ ସିବିଆଇକୁ ଦିଆଯାଉ। ’

ଅନ୍ୟପଟେ ଏ ଘଟଣାରେ ବିଜେଡିର ସମ୍ପୃକ୍ତି ରହିଛି ବୋଲି ବିଜେପି ନେତା ପ୍ରକାଶ ମିଶ୍ର କହିଛନ୍ତି। ଏ ଘଟଣାର ତଦନ୍ତ ସିବିଆଇ କରିବା ସହ ଭିଏଲଡବ୍ଲ୍ୟୁଙ୍କ ମୃତ୍ୟୁ ଘଟଣାରେ ଜଡିତ ଅଭିଯୁକ୍ତକୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରାନଗଲେ ବିଜେପି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details