ଭୁବନେଶ୍ବର: ଟ୍ରାଫିକ ନିୟମ ଉଲଙ୍ଘନକାରୀଙ୍କୁ ପୋଲିସ ପଠାଉଛି ପ୍ରେମପତ୍ର । ଅର୍ଥାତ ନିୟମ ଉଲଙ୍ଘନ କରୁଥିବା ଲୋକର ଗାଡି ନମ୍ବରକୁ କ୍ୟାମେରାରେ ଚିହ୍ନଟ କରାଯାଇ ଫାଇନ ନୋଟିସ ଘରକୁ ପଠାଉଛି ପୋଲିସ । ଦିନକୁ ୩୫୦ କ୍ୟାମେରା ଜରିଆରେ ନିୟମ ଉଲଙ୍ଘନକାରୀଙ୍କୁ ଚିହ୍ନଟ କରାଯାଉଥିବା ଜଣାପଡିଛି । ଟ୍ରାଫିକ ସୁରକ୍ଷା ମାସ ପାଲନ ଅବସରରେ ପୋଲିସ ସେବା ଭବନରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଏପରି କହିଛନ୍ତି ପୋଲିସ କମିଶନର ସୁଧାଂସୁ ଷଡଙ୍ଗୀ ।
କମିଶନର କହିଛନ୍ତି ଯିଏ ନିୟମ ଭାଙ୍ଗିବ ତାଙ୍କ ଘରେ ନୋଟିସ ପହଞ୍ଚିବ । ଏପରିକି ଆଇନ ଭାଙ୍ଗିଲେ ଏକାଧିକ ବାର ନୋଟିସ ମଧ୍ୟ ପହଞ୍ଚିପାରେ । ସେହିପରି ବର୍ଷକ ମଧ୍ୟରେ ୨୫ କୋଟି ଟଙ୍କା ଫାଇନ ଆଦାୟ କରିଛି କମିସନରେଟ । ପୋଲିସ ତେଣୁ ଅଯଥାରେ ନିୟମ ଭାଙ୍ଗନ୍ତୁ ନାହିଁ କି ଫାଇନ ଦିଅନ୍ତୁ ନାହିଁ ବୋଲି ସେ ସାଧାରଣ ଜନତାଙ୍କୁ ସତର୍କ କରାଇଛନ୍ତି ।