ଭୁବନେଶ୍ବର: ଦେଶର ବିଭିନ୍ନ ରାଜ୍ୟରେ ଲୋକପ୍ରତିନିଧିଙ୍କୁ ସରକାରୀ ଅଧିକାରୀମାନେ ଉଚିତ ସମ୍ମାନ ଦେଉନଥିବା ଅଭିଯୋଗ ହୋଇଆସୁଛି । ଓଡିଶାରେ ମଧ୍ୟ ବିଭିନ୍ନ ସମୟରେ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଏନେଇ ଶାସକ ଓ ବିରୋଧୀ ଦଳର ଲୋକ ପ୍ରତିନିଧିମାନେ ଅଭିଯୋଗ କରିଛନ୍ତି । ଏ ଅଭିଯୋଗକୁ ଗୁରୁତ୍ୱର ସହ ନେଇଛନ୍ତି କେନ୍ଦ୍ର ସରକାର । ଲୋକ ପ୍ରତିନିଧିଙ୍କ ସହ ସରକାରୀ ଅଧିକାରୀମାନେ ଯଥୋଚିତ ବ୍ୟବହାର ପ୍ରଦର୍ଶନ କରିବା ନେଇ ମୁଖ୍ୟ ଶାସନ ସଚିବଙ୍କୁ ତାଗିଦ କରାଯାଇଛି । ଏହା ତୃଣମୂଳରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ପାଳନ ହେବ ତାହା ସୁନିଶ୍ଚିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ କୁହାଯାଇଛି ।
ଗତ ସେପ୍ଟେମ୍ବର 13 ତାରିଖରେ ରାଜ୍ୟ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ରଙ୍କୁ ଚିଠି ସହ ପୁନର୍ବାର ମାର୍ଗଦର୍ଶିକା ପଠାଇଛି କେନ୍ଦ୍ର । ସାଂସଦ ଓ ବିଧାୟକମାନଙ୍କୁ ଅଫିସରମାନେ ଉପଯୁକ୍ତ ଶିଷ୍ଟାଚାର ଓ ସମ୍ମାନ ଦେବେ ତାହା ସୁନିଶ୍ଚିତ କରାଇବାକୁ ମୁଖ୍ୟ ଶାସନ ସଚିବଙ୍କୁ ତାଗିଦ କରାଯାଇଛି । କେନ୍ଦ୍ର ସରକାରଙ୍କ ଉପସଚିବ ଉମେଶ କୁମାର ଭାଟିଆ ଏହି ଚିଠି ପଠାଇଛନ୍ତି । ସାଂସଦ ଓ ବିଧାୟକଙ୍କୁ ଉପଯୁକ୍ତ ସମ୍ମାନ ଜଣାଇବାରେ ଉଲ୍ଲଘଂନ ହୋଇଥିବାର ପ୍ରମାଣ ମିଳେ ତା’ହେଲେ ସମ୍ପୃକ୍ତ ଅଫିସରଙ୍କୁ ଆଇନ ଅନୁସାରେ ଦଣ୍ଡିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ 2011 ଡିସେମ୍ବରରେ ଏନେଇ ଏକ ଗାଇଡଲାଇନ ଜାରି କରାଯାଇଛି । ଏହି ଗାଇଡଲାଇନ ସମସ୍ତ ମନ୍ତ୍ରଣାଳୟ,ବିଭାଗ, ରାଜ୍ୟ ସରକାରଙ୍କୁ ଜାରି କରାଯାଇଛି ।
ସାଂସଦ ଓ ବିଧାୟକମାନଙ୍କ ସହ ଜିଲ୍ଲାଠୁ ରାଜ୍ୟସ୍ତର ଓ କେନ୍ଦ୍ର ସରକାରସ୍ତରରେ କିଭଳି ଆଚରଣ କରାଯିବ ତାହା ସେଥିରେ ଉଲ୍ଲେଖ ରହିଛି । ଏହି ଚିଠିରେ ସାଂସଦ ଓ ବିଧାୟକମାନଙ୍କୁ କିଭଳି ଅଫିସରମାନେ ସୌଜନ୍ୟ ଓ ସମ୍ମାନ ପ୍ରଦାନ କରିବେ ସେ ନେଇ 7ଟି ନିୟମ ଓ ନିର୍ଦ୍ଦେଶନାମା ରହିଛି । ଅଲଇଣ୍ଡିଆ ସର୍ଭିସ (କଣ୍ଡକ୍ଟ) ରୁଲସ-1968ର ରୁଲ 3(2କ) ଅନୁସାରେ ପ୍ରତ୍ୟେକ ଅଧିକାରୀ ନିଜର କର୍ତ୍ତବ୍ୟ ସମ୍ପାଦନବେଳେ ବିନମ୍ରତା ଆଚରଣ କରିବେ । ସାଂସଦ ଓ ବିଧାୟକମାନଙ୍କ କଥାକୁ ଧ୍ୟାନ ପୂର୍ବକ ଶୁଣିବା ସହ ଏହା ଉପରେ ବିଚାର କରି ସର୍ବୋତ୍ତମ ନିଷ୍ପତ୍ତି ଆଇନ ଅନୁସାରେ ନେବା ଜରୁରୀ । ସାଂସଦ ଓ ବିଧାୟକଙ୍କୁ ସ୍ୱାଗତ କରିବା ଓ ତାଙ୍କୁ ବିଦା କରିବାବେଳେ ନିଜ ଆସନରେ ଠିଆ ହୋଇ ଅଫିସରମାନେ ସମ୍ମାନ ଜଣାଇବା ଉଚିତ । ସାଂସଦ ଓ ବିଧାୟକ ଫୋନ ମାଧ୍ୟମରେ ଦେଇଥିବା ନିର୍ଦ୍ଦେଶକୁ ଅଫିସରମାନେ ଅଣଦେଖା କରିପାରିବେ ନାହିଁ । ସମ୍ପୃକ୍ତ ଅଫିସର ନିଜର ଅନୁପସ୍ଥିତି ଅବା କାର୍ଯ୍ୟ ବ୍ୟସ୍ତତା ପାଇଁ ଯଦି ଉକ୍ତ ଫୋନକୁ ଗ୍ରହଣ କରିପାରିନଥିବେ ତେବେ ଯଥାଶୀଘ୍ର ପ୍ରାଥମିକତା ଭିତ୍ତିରେ ସେହି ସାଂସଦ ଅବା ବିଧାୟକଙ୍କୁ ଏନେଇ ଫୋନ ମାଧ୍ୟମରେ ଯୋଗାଯୋଗ କରିବେ । କୌଣସି ସରକାରୀ କାର୍ଯ୍ୟକ୍ରମକୁ ବିଧାୟକ ଓ ସାଂସଦମାନଙ୍କୁ ଆମନ୍ତ୍ରଣ କରାଯିବା ସହ ଉପଯୁକ୍ତ ପ୍ରୋଟୋକଲ ପାଳନ କରିବାକୁ ତାଗିଦ କରାଯାଇଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଦେବୀ ମିଶ୍ର ।