ଆନନ୍ଦପୁର: ବର୍ଷ ପରେ ବର୍ଷ ବିତିଚାଲିଛି ହେଲେ ନିର୍ମାଣ ହୋଇପାରୁନି ରାସ୍ତା । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକର ରେକୁଟିଆଠାରୁ ହରିଚନ୍ଦନପୁର ବ୍ଲକର ବ୍ରାହ୍ମଣୀପାଳ ପର୍ଯ୍ୟନ୍ତ ରାସ୍ତାର ଦୁରାବସ୍ଥା ଏବେ ଚିନ୍ତାଜନକ ସ୍ଥିତିରେ ରହିଛି । ଛଅଟି ପଞ୍ଚାୟତର ଲୋକମାନେ ନିର୍ଭର କରୁଥିବା ଏହି ରାସ୍ତାକୁ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି ।
ବିପର୍ଯ୍ୟସ୍ତ ରାସ୍ତାରେ କେତେବେଳେ ଆମ୍ବୁଲାନ୍ସ ଓ ଜରୁରୀ କାଳୀନ ଗାଡ଼ି ଅଟକି ରହୁଛି ତ ଆଉ କେତେବେଳେ ଦୁର୍ଘଟଣାରେ ଲୋକମାନେ ଖଣ୍ଡିଆଖାବରା ହେଉଥିବା ଅଭିଯୋଗ ହୋଇଛି । ରେକୁଟିଆଠାରୁ ବ୍ରାହ୍ମଣୀପାଳର ଦୂରତା ପ୍ରାୟ ୧୪କିମି । ଏହି ରାସ୍ତାଉପରେ ୫୦ ହଜାରରୁ ଊର୍ଦ୍ଧ୍ବ ଜନସାଧାରଣ ନିର୍ଭର କରି ଆସୁଛନ୍ତି । ପୂର୍ବରୁ ଏହି ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗରେ ରହିଥିଲା । ରାସ୍ତାର ନିର୍ମାଣ ପାଇଁ ପ୍ରାୟ ୮କୋଟିରେ ଟେଣ୍ଡର ହୋଇଥିଲା । ତେବେ ଜନୈକ କଣ୍ଟ୍ରାକ୍ଟର ଠିକା କାମ ନପାଇ ହାଇକୋର୍ଟଙ୍କ ଦ୍ଵାରସ୍ତ ହେବାରୁ ରାସ୍ତା ନିର୍ମାଣ ଅଟକି ଯାଇଥିଲା। ରାସ୍ତାରେ ଅନେକ ସ୍ଥାନରେ ଖାଲଖମାରେ ଭର୍ତ୍ତି ହୋଇଯିବାରୁ ଗତ ୭ବର୍ଷ ହେଲା ଏହି ରାସ୍ତାରେ ଏକପ୍ରକାର ଚଳାଚଳ ବନ୍ଦ ହୋଇଯାଇଛି । ଅନେକ ସମୟରେ ଏହି ରାସ୍ତାରେ ଆମ୍ବୁଲାନ୍ସ , ଅଗ୍ନିଶମ ବିଭାଗର ଗାଡ଼ି ଜରୁରୀ କାମରେ ଅତି ଦହଗଞ୍ଜ ହୋଇ ଯାତାୟାତ କରୁଥିବା ଅଭିଯୋଗ ହୋଇଛି ।