କଟକ: କୋଭିଡ଼ରେ ଆକ୍ରାନ୍ତ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର। ଉତ୍ତମ ଚିକିତ୍ସା ପାଇଁ ଆଜି ତାଙ୍କୁ କୋଲକାତାସ୍ଥିତ ଏକ ବେସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏକ ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରୁ କୋଲକାତା ଅଭିମୁଖେ ତାଙ୍କୁ ଏୟାର ଲିଫ୍ଟ କରାଯାଇଛି ।
ଉନ୍ନତ ଚିକିତ୍ସା ପାଇଁ କୋଲକାତା ଏୟାରଲିଫ୍ଟ ହେଲେ ଭିଜିଲାନ୍ସ ଡିଜି ଦେବାଶିଷ ପାଣିଗ୍ରାହୀ ଫୁସଫୁସରେ କୋଭିଡ଼ ସଂକ୍ରମଣ ଗୁରୁତର ସ୍ଥିତିରେ ଥିବାରୁ ଦେବାଶିଷଙ୍କୁ ECMO ମେସିନରେ ଚିକିତ୍ସା କରାଯାଇଥିଲା। ତାଙ୍କର ମଧୁମେହ ସହିତ ରକ୍ତଚାପ ମଧ୍ୟ ଥିଲା। ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନଆସିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କୋଲକାତା ପଠାଯାଇଥିବା କହିଛନ୍ତି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ।
ସୂଚନାଯୋଗ୍ୟ ଗତ ମାସ 29 ତାରିଖରେ ସେ କିଛି ଅସ୍ୱାଭାବିକ ଅନୁଭବ କରିଥିଲେ। ଏହା ପରେ ତାଙ୍କୁ ତୁରନ୍ତ ଅଶ୍ୱନି କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ହସ୍ପିଟାଲରେ ଭର୍ତ୍ତି କରାଯିବା ସମୟରେ ତାଙ୍କର ଅକ୍ସିଜେନ ସଚୁରେସନ 95 ପ୍ରତିଶତ ଥିଲେ ମଧ୍ୟ ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ ସେ ସମସ୍ୟା ଅନୁଭବ କରିଥିଲେ । ଏହା ପରେ ଦେବାଶିଷ ପାଣିଗ୍ରାହୀଙ୍କ ଫୁସଫୁସର ସ୍ଥିତି ଜାଣିବା ପାଇଁ ପରୀକ୍ଷା ପରେ ତାହା କୋଭିଡ ଯୋଗୁଁ ଗୁରୁତର ଭାବେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।
ଫଳରେ କିଛି ଘଣ୍ଟାର ବ୍ୟବଧାନ ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । କିନ୍ତୁ ଫୁସଫୁସରେ ସଂକ୍ରମଣ ଅଧିକ ବେଗରେ ବ୍ୟାପିବାରୁ ତାଙ୍କୁ ECMO ମେସିନରେ ରଖିବାର ଆବଶ୍ୟକତା ଦେଖା ଦେଇଥିଲା। ତେବେ ଆଜି ତାଙ୍କୁ କଲିକତାର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଏଥିପାଇଁ କୋଲକାତାରୁ ଆସିଥିବା ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି।
କଟକରୁ ନାରାୟଣ ସାହୁ ଓ ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ