ଓଡିଶା

odisha

ETV Bharat / city

ଦେବାଶିଷଙ୍କ ଗୋହି ଖୋଳିଲେ ଦାମ, ନାଁ ନନେଇ ବିଜେଡି ସୁପ୍ରିମୋଙ୍କୁ ଦେଲେ ଚେତାବନୀ - ଦେବାଶିଷଙ୍କ ଗୋହି ଖୋଲିଲେ ଦାମ

ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ପାରାଦ୍ବୀପ ଟିକେଟ ଆଶାୟୀ ବୋଲି କହିବା ପରେ ସରଗରମ ହୋଇଛି ବିଜେଡି ରାଜନୀତି । ବର୍ଷୀୟାନ ନେତା ଦାମୋଦର ରାଉତ ପୁଅ ସପକ୍ଷରେ ଯୁକ୍ତି ବାଢିବା ସହ ଖୋଲିଛନ୍ତି ଦେବାଶିଷଙ୍କ ଗୋହି । ଅଧିକ ପଢନ୍ତୁ

ଦେବାଶିଷଙ୍କ ଗୋହି ଖୋଲିଲେ ଦାମ, ନାଁ ନନେଇ ବିଜେଡି ସୁପ୍ରିମୋଙ୍କୁ ଦେଲେ ଚେତାବନୀ
ଦେବାଶିଷଙ୍କ ଗୋହି ଖୋଲିଲେ ଦାମ, ନାଁ ନନେଇ ବିଜେଡି ସୁପ୍ରିମୋଙ୍କୁ ଦେଲେ ଚେତାବନୀ

By

Published : May 7, 2022, 8:44 PM IST

ଭୁବନେଶ୍ବର:ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ପାରାଦ୍ବୀପ ଟିକେଟ ଆଶାୟୀ ବୋଲି କହିବା ପରେ ସରଗରମ ହୋଇଛି ବିଜେଡି ରାଜନୀତି । ଦେବାଶିଷଙ୍କ ଖୋଲା ଇଚ୍ଛା ବ୍ୟକ୍ତ ପରେ ଚିଇଁକି ଉଠିଛନ୍ତି ବର୍ଷୀୟାନ ନେତା ତଥା ପାରାଦ୍ବୀପ ଭେଟେରାନ ଦାମୋଦର ରାଉତ । ପୁଅ ସପକ୍ଷରେ ଯୁକ୍ତି ବାଢିବା ସହ ଖୋଲିଛନ୍ତି ଦେବାଶିଷଙ୍କ ଗୋହି । ଏହା ସହ ନାଁ ନନେଇ ବିଜେଡି ସୁପ୍ରିମୋଙ୍କୁ ଚେତାବନୀ ଦେଇଛନ୍ତି ଦାମ । ବିଜେଡି ଯଦି ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ପୁନର୍ବାର ଟିକେଟ ନଦିଏ, ତେବେ ପରିସ୍ଥିତି ଖରାପ ହେବ ବୋଲି ପରୋକ୍ଷରେ ଚେତାଇ ଦେଇଛନ୍ତି ।

ଦେବାଶିଷଙ୍କ ଗୋହି ଖୋଲିଲେ ଦାମ, ନାଁ ନନେଇ ବିଜେଡି ସୁପ୍ରିମୋଙ୍କୁ ଦେଲେ ଚେତାବନୀ

ଦେବାଶିଷଙ୍କ ଠିକାଦାରୀ, ଗ୍ୟାଙ୍ଗଷ୍ଟର ଲିଙ୍କର ଗୋହି ଖୋଳିଛନ୍ତି ଦାମ । ସେ କହିଛନ୍ତି ଯେ, "ଠିକାଦାରୀରୁ ଆସି ରାଜନୀତି କରୁଛନ୍ତି ଦେବାଶିଷ ସାମନ୍ତରାୟ । ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସଭାରେ ଆକ୍ରମଣ କରିଥିଲେ । ଯେଉଁ ବ୍ୟକ୍ତି ବିଜୁ ବାବୁଙ୍କୁ ଆକ୍ରମଣ କରିଥିଲେ ପରବର୍ତ୍ତୀ ସମୟରେ ତାଙ୍କ ନାଁରେ ହୋଇଥିବା ଦଳରେ ସାମିଲ ହୋଇଛନ୍ତି । କଳିଙ୍ଗ ନଗରରେ ଦେବାଶିଷଙ୍କ ଠିକାଦାରୀ ସମୟରେ 10 ଆଦିବାସୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । କୁଜଙ୍ଗ ବଜାରରେ 4 ଜଣ ତାଙ୍କ ପାଇଁ ମୃତ୍ୟୁବରଣ କରିଥିଲେ । ଲାଞ୍ଜିଗଡ଼ ବେଦାନ୍ତ କାରଖାନାରେ ଦେବାଶିଷ 273 କୋଟି ଟଙ୍କାର କାର୍ଯ୍ୟ କରିଥିଲେ । ଠକିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ଠିକାଦାରୀକୁ ସୁବିଧା ହେବ ବୋଲି ରାଜନୀତିରେ ଅଛନ୍ତି ଦେବାଶିଷ ।"

କଟକ-ବାରବାଟୀବାସୀ ଗତ ନିର୍ବାଚନରେ ଦେବାଶିଷଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଗ୍ୟାଙ୍ଗଷ୍ଟାର ଧଳ ସାମନ୍ତ ବ୍ରଦର୍ସଙ୍କ ସହ ଦେବାଶିଷଙ୍କର ରହିଛି ନିବିଡ ସମ୍ପର୍କ । ନିଜ ଦଳର ନିର୍ବାଚିତ ବିଧାୟକଙ୍କ ବିରୋଧରେ କୁତ୍ସାରଟନା କରିବା ଦଳ ବିରୋଧୀ କାର୍ଯ୍ୟ । ଦାୟିତ୍ବହୀନତା ହେଉଛି ଦେବାଶିଷଙ୍କ ଚରିତ୍ରର ଭୂଷଣ । ମା' ମାନଙ୍କ ଆଖିରୁ ଲୁହ ବାହାର କରିବା ଦେବାଶିଷଙ୍କର ଚରିତ୍ର । ଲୁହ ପୋଛିବେ କେତେବେଳେ ବୋଲି ଦାମ ପ୍ରଶ୍ନ କରିଛନ୍ତି । ଏମିତି କଠୋର ଭାଷାରେ ଦେବାଶିଷଙ୍କୁ ସମାଲୋଚନା କରିଛନ୍ତି ଦାମ ।

ଦାମ ଆହୁରି କହିଛନ୍ତି ଯେ, ମୋତେ ଟାର୍ଗେଟ କଲେ କଣ ହେବ ? 50 ବର୍ଷ ହେଲା ରାଜନୀତିରେ ଅଛି । 7 ଥର ବିଧାୟକ ହୋଇ 23 ବର୍ଷ କ୍ୟାବିନେଟ ମନ୍ତ୍ରୀ ରହିଛି । ବିଜୁ ଜନତା ଦଳରେ ରହି ସ୍ଥାନୀୟ ବିଧାୟକଙ୍କ ବିରୋଧରେ ମନ୍ତବ୍ୟ ଦେବା ଦଳ ବିରୋଧୀ କାର୍ଯ୍ୟ । ତାଙ୍କ ବିରୋଧରେ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ହେବା କଥା । ଏହା କହି ଦଳର ସୁପ୍ରିମୋଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି ଦାମ । ଦଳର ସୁପ୍ରିମୋଙ୍କୁ ଅତୀତ କଥା ମନେ ପକେଇ ଦେଇଛନ୍ତି ସେ । ଦାମ କହିଛନ୍ତି ଯେ, "କିଛି ବର୍ଷ ତଳେ ଜିଲ୍ଲା ପରିଷଦର 4 ଟିକେଟ ବିଧାୟକ ଭାବେ ମୋତେ ନଦେଇ ଜିଲ୍ଲା ସଭାପତି ବିଷ୍ଣୁ ଦାସଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ଦେଇଥିଲେ । ଦଳ ସଭାପତି ପ୍ରଚାର ଲାଗି ମଧ୍ୟ ଯାଇଥିଲେ । ହେଲେ ମୁଁ ଦେଇଥିବା 4 ସ୍ବାଧୀନ ପ୍ରାର୍ଥୀ ବିଜୟ ହୋଇଥିଲେ ।"

ସେ ଆହୁରି କହିଛନ୍ତି ଯେ, "ପାରାଦ୍ବୀପ-କୁଜଙ୍ଗର ସକ୍ରିୟ ରାଜନୀତିରେ ଗତ 50 ବର୍ଷ ହେଲା ଜଡିତ । 2019 ରେ ମୋ ପୁଅ ବିଜେଡ଼ି ଟିକେଟରୁ ବିଜୟ ହୋଇଛନ୍ତି । ଯଦି ଦେବାଶିଷ କହୁଛନ୍ତି ମୋ ପୁଅକୁ କେହି ଚିହ୍ନନ୍ତି ନାହିଁ ତେବେ ମୋ ପୁଅ ବିଜୟୀ କେମିତି ହେଲା । କେମିତି ତା ଜନ୍ମଦିନରେ ବିପୁଳ ଲୋକଙ୍କ ସମାଗମ ହୋଇଥିଲା ? 2024ରେ ନବୀନ ବାବୁ ପାରାଦ୍ବୀପ ବାବଦରେ କଣ କରିବେ ଜାଣନ୍ତି ନାହିଁ । ମୁଁ ତାଙ୍କ ସହିତ ଦଳରେ ନାହିଁ । ହେଲେ ମୋର ପାରାଦ୍ବୀପ ବାସୀଙ୍କ ଉପରେ ବିଶ୍ବାସ ଅଛି । ପାରାଦ୍ବୀପ ହେଉଛି ବିଜୁ ପଟ୍ଟନାୟକଙ୍କ ସୃଷ୍ଟି । ମୁଁ ହେଉଛି ବିଜୁ ବାବୁଙ୍କ ପ୍ରକୃତ ପ୍ରତିନିଧି । ପାରାଦ୍ବୀପ ବନ୍ଦର ଦାୟିତ୍ବ ନେବାକୁ ସେ ମୋତେ ରାଜନୀତିକୁ ଆଣିଥିଲେ ।"

"ବିଜୁ ବାବୁ ପାରାଦ୍ବୀପକୁ ସୃଷ୍ଟି କରିଥିବାରୁ ରାଜନୈତିକ ଦୃଷ୍ଟି କୋଣରୁ ତାହା ବିଜୁ ଜନତା ଦଳର । ହେଲେ ଠିକ ପ୍ରାର୍ଥୀ ନଦେଲେ ବିଜୁ ଜନତା ଦଳ ଟିକେଟରେ ବି କେହି ସେଠାରେ ବିଜୟ ହୋଇପାରିବେ ନାହିଁ । ମୋ ପୁଅକୁ ପ୍ରାର୍ଥୀ ନକରିବାର କୌଣସି କାରଣ ନାହିଁ । ଯଦି ତାକୁ ନଦେଇ ଆଉ କାହାକୁ ଦେବେ । ମୋ ପୁଅକୁ ଯିଏ ବିରୋଧ କରିବ ମୁଁ କଣ ତା ସପକ୍ଷରେ କାର୍ଯ୍ୟ କରିବି ।" ଏହା କହି ବିଜେଡି ସଭାପତିଙ୍କୁ ସିଧାସଳଖ ଚେତାବନୀ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details