ଭୁବନେଶ୍ବର: ଖୁବଶୀଘ୍ର ଓଡିଶାର 15 ଟି ପ୍ରମୁଖ ଖଣି ଏବଂ 16 ଟି ଲଘୁ ଖଣିଜ ବ୍ଲକର ନିଲାମ ହେବ । 2021-2022 ଆର୍ଥିକ ବର୍ଷରେ 49530 କୋଟି ଟଙ୍କାର ଖଣି ରାଜସ୍ୱ ଆଦୟ ହୋଇଛି । ଓଡିଶା 1 ନଂ ଭାବେ ରାଷ୍ଟ୍ରୀୟ ଖଣିଜ ବିକାଶ ପୁରସ୍କାର ପାଇଛି । କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛି ରାଜ୍ୟ । ଏନେଇ ଆଜି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲିକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଖଣି ମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାର 2015 ରେ ଖଣି ନୀତିରେ ନୂଆ ସଂସ୍କାର ଆଣିବା ପରେ ଅଧିକ ଲାଭନ୍ବିତ ହୋଇଛି ଓଡିଶା । ଖଣି କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆସିଛି । ବର୍ତ୍ତମାନ ସୁଦ୍ଧା 22 ଟି ଖଣିର ଲିଜ ଅବଧି ଶେଷ ହୋଇଥିବାବେଳେ 37 ଖଣିଜ ବ୍ଲକର ନିଲାମ ପ୍ରକ୍ରିୟା ଶେଷ ହୋଇଛି । 5-T ପଦକ୍ଷେପ ଆଧାରରେ ଖଣିଜ ଉତ୍ତୋଳନ, ମ୍ୟାପିଂ ପାଇଁ i3MS ବ୍ୟବସ୍ଥା କରାଯାଇଛି । ଆଗକୁ ଆଉ 15 ଟି ପ୍ରମୁଖ ଖଣି ଏବଂ 16 ଟି ଲଘୁ ଖଣିଜ ବ୍ଲକର ନିଲାମ କରାଯିବ । ଚଳିତବର୍ଷ ମୋଟ ଖଣିଜ ପଦାର୍ଥର ଉତ୍ପାଦନ 107.546 ମିଲିୟନ ଟନ ହୋଇଛି । ପରିବହନ ହୋଇଛି 100.612 ମିଲିୟନ ଟନ ।