ଓଡିଶା

odisha

ETV Bharat / city

ରାଜନୀତିରୁ ସନ୍ୟାସ ନେବେ ଦାମୋଦର ରାଉତ ! - ପୁରୁଷ ବିଜୁ ପଟ୍ଟନାୟକ

ଦିନେ ମୋ ଘରେ କୋଳାହଳ ଲାଗିରହୁଥିଲା । ଆଜି କାଉ କି କୋଇଲି ଉଡୁନାହାଁନ୍ତି । ତେଣୁ ମୁଁ ରାଜନୀତିରୁ ସନ୍ୟାସ ନେବି... ଏମିତି କିଛି ଢଙ୍ଗରେ ନିଜର ବେଦନା ପ୍ରକାଶ କରିଛନ୍ତି ବରିଷ୍ଠ ରାଜନେତା ଦାମୋଦର ରାଉତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 23, 2019, 5:36 PM IST

Updated : Sep 23, 2019, 11:10 PM IST

ଭୁବନେଶ୍ବର: ରାଜ୍ୟ ରାଜନୀତିରେ ଆଉ ଶୁଭିବନି ଶବ୍ଦ ବାଣ । ଯେଉଁ ତୁଣ୍ଡରୁ ଦିନେ ଶବ୍ଦ ବାହାରିଲେ ରାଜନୀତି ଓଲଟ ପାଟ ହୋଇଯାଉଥିଲା ସେହି ତୁଣ୍ଡ ଏବେ ତୁନି ପଡି ଗଲାଣି । ଅନ୍ତହେବାକୁ ଯାଉଛି 40 ବର୍ଷ ରାଜନୈତିକ ଜୀବନ । ଯାହାଙ୍କର ସାହାଯ୍ୟ ଟିକେ ପାଇବା ପାଇଁ ଜନତା ଲମ୍ବା ଧାଡି ଧରି ଅପେକ୍ଷା କରୁଥିଲେ ଏବେ ସେହି ସାହାଯ୍ୟକାରୀ ଅଲୋଡା । ଯାହାଙ୍କର ବକ୍ତବ୍ୟ ଗଣମାଧ୍ୟମର ମୁଖ୍ୟ ଖବର ପାଲଟି ଯାଉଥିଲା ଏବେ ସେହି ନେତା ଗଣମାଧ୍ୟମର ନଜର ଅନ୍ଦାଜରେ । ଯାହାଙ୍କର ପ୍ରତିକ୍ରିୟାରେ ବିରୋଧୀ ଧରାଶାୟୀ ହୋଇପଡୁଥିବା ବେଳେ ଏବେ ନିଜେ ସେ ଧରାଶାୟୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ଡାକ୍ତର ଦାମୋଦର ରାଉତ । ବିଜୁ ଜନତା ଦଳର ଅନ୍ୟତମ ଖମ୍ବ । 40 ବର୍ଷର ରାଜନୈତିକ ଅଭିଜ୍ଞତା । 35 ବର୍ଷର ଲମ୍ବା ସମୟ ବିଧାୟକ । 22 ବର୍ଷ ଧରି ବିଭିନ୍ନ ବିଭାଗରେ ମନ୍ତ୍ରୀ । ଏହାସତ୍ବେ ଆଜି ଦାମୋଦର ରାଉତ ଆଜି ଏକ ପ୍ରକାର ଅଲୋଡା । ସମୟ ଥିଲା ବିଜୁ ଜନତା ଦଳର ତୁଣ୍ଡ ଥିଲେ ଦାମ । ପ୍ରଖର ଅଭିଜ୍ଞତା ନିଜ ବାକଚାତୁରୀ ଓ ଶବ୍ଦ ବଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନେକ ସମୟରେ ବିରୋଧୀଙ୍କ ଠାରୁ ସୁରକ୍ଷା ଯୋଗାଇଥିଲେ ।


ହେଲେ ସମୟ ଚକ୍ରରେ ଏହି ରାଜନେତା ନିଜର ବକ୍ତବ୍ୟ ପାଇଁ ଦଳ ଓ ଦଳପତିଙ୍କର ସମସ୍ୟା ପାଲଟିଗଲେ । ଫଳରେ ଗତ ନିର୍ବାଚନ ପୂର୍ବରୁ ବିଜେଡିରୁ ବହିଷ୍କୃତ ହେଲେ । ହେଲେ ଦୀର୍ଘଦିନ ଧରି କ୍ଷମତାରେ ଥିବା ଦାମବାବୁ ହଠାତ ଏହି ନିଷ୍ପତିକୁ ଗ୍ରହଣ କରିପାରିଲେ ନାହିଁ । ପ୍ରତିଶୋଧ ନେବା ପାଇଁ ବିଜେପିରେ ଯୋଗଦେଲେ । ହେଲେ ନିର୍ବାଚନ ପରେ ଏବେ ବିଜେପି ମଧ୍ୟ ତାଙ୍କୁ ଅବହେଳା କରିଥିବା ଦାମ ନିଜେ ଅଭିଯୋଗ କରିଛନ୍ତି ।


ଆଜି ନିଜ ମନର ବ୍ୟଥା ବଖାଣି ଅନେକ ଅକୁହା କଥା କହିଛନ୍ତି ଦାମୋଦର ରାଉତ । କହିଛନ୍ତି ନିର୍ବାଚନ ପୂର୍ବରୁ ବିଜେପି ମୋର ଅଭିଜ୍ଞତାକୁ ଭରପୂର ଉପଯୋଗ କଲା । ପ୍ରଚାର ପାଇଁ ହେଲିକେପ୍ଟର ମଧ୍ୟ ଦେଲା । କିଛି ସଫଳତା ପାଇଲା ମଧ୍ୟ ହେଲେ ଏବେ ଦଳ ମତେ ପଚାରୁନି । ଯେହେତୁ ମୁଁ ଜଣେ ଦଳର ସଦସ୍ୟ ହେଲେ ମଧ୍ୟ ବରିଷ୍ଠତା ଦୃଷ୍ଟିରୁ ମୋତେ ଅବହେଳା କରୁଛନ୍ତି । ତେଣୁ ମୁଁ ଆଉ ରାଜନୀତି କରିବି ନାହିଁ । ରାଜନୀତିରୁ ସନ୍ୟାସ ନେବି । ତେବେ କେବେ ସନ୍ୟାସ ନେବେ ତାହା ସ୍ପଷ୍ଟ କରିନାହାନ୍ତି ଦାମ ।


ଏହାସହ ପୁରୁଣା ଦିନ କଥା ମନେ ପକାଇ କହିଛନ୍ତି ସମୟ ଥିଲା ମୋର ବାସଭବନରେ କୋଳାହଳ ଲାଗି ରହୁଥିଲା । ହେଲେ ଆଜି କେହି ନାହାଁନ୍ତି । ପୁରା ନିକାଞ୍ଚନ ।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Sep 23, 2019, 11:10 PM IST

ABOUT THE AUTHOR

...view details