ଭୁବନେଶ୍ବର:ଅନୁଭବଙ୍କ ବ୍ୟାକ୍ ଟୁ ବ୍ୟାକ୍ ଭିଡ଼ିଓ ପରେ ମୁହଁ ଖୋଲିଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ସ୍ବାମୀଙ୍କୁ କାଉଣ୍ଟର କରି ପଚାରିଲେ ଗୋଟିଏ ପରେ ଗୋଟିଏ ପ୍ରଶ୍ନ । ଥାନାରେ ଏତଲା ଦେଲା ପରେ ଏବେ ସାମାଜିକ ଗଣମାଧ୍ୟମରେ ରଖିଲେ ନିଜ ପକ୍ଷ । ଫ୍ୟାନକ୍ଲବ ମାଧ୍ୟମରେ ସ୍ବାମୀଙ୍କ ଉପରେ ବର୍ଷିଛନ୍ତି ପତ୍ନୀ ବର୍ଷା । ଏହାସହ ଅନୁଭବଙ୍କୁ ସମର୍ଥନ କରୁଥିବା ଲୋକଙ୍କୁ ମଧ୍ୟ ମାରିଛନ୍ତି ତେରଚ୍ଛା ପ୍ରଶ୍ନ ବାଣ । ଫଳରେ ନିଜ ବୈବାହିକ ଜୀବନକୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି ଏହି ଦମ୍ପତି ।
ସାଂସଦ ଅନୁଭବ ନିଜ ୟୁଟ୍ୟୁବ ଚ୍ୟାନେଲରେ 'UNTOLD TRUTH' ନାମରେ ୨ଟି ଭିଡିଓ ସେୟାର କରିଥିଲେ । ଏହି ଭିଡ଼ିଓରେ ସେ ବର୍ଷାଙ୍କୁ ଭଲ ପାଇବାଠୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଯାହା ସବୁ ଘଟିଛି ତାହା ନିଜ ଫ୍ୟାନ୍ସ ଓ ରାଜ୍ୟବାସୀଙ୍କୁ ଜଣାଇଥିଲେ । ବର୍ଷାଙ୍କୁ ବିବାହ କରି ତାଙ୍କ ଜୀବନ ଅନ୍ଧକାର ହୋଇଯିବା ସହିତ ହାତ ଯୋଡ଼ି ବର୍ଷା ତାଙ୍କୁ ଛାଡ଼ି ଦିଅନ୍ତୁ ବୋଲି ଅନୁରୋଧ କରିଥିଲେ । ପ୍ରଥମ ଭିଡ଼ିଓରେ କିଛି ଲୋକ ଅନୁଭବଙ୍କୁ ବିରୋଧ କରିଥିବା ବେଳେ ଦ୍ବିତୀୟ ଭିଡ଼ିଓରେ ମଧ୍ୟ ଅଧିକାଂଶ ତାଙ୍କ ସମର୍ଥନରେ ବାହାରିଥିଲେ ।