ଭୁବନେଶ୍ବର: ଆସନ୍ତାକାଲି(ଶନିବାର)ଠୁ ଆରମ୍ଭ ହେବାକୁ ଯାଉଛି ୧୫ରୁ ୧୮ ବର୍ଷ ବୟସ୍କଙ୍କ ଟୀକାକରଣ । ପଞ୍ଜୀକରଣ ପରେ ଜାନୁଆରୀ ୩ ତାରିଖଠାରୁ ଏହି ବର୍ଗର କିଶୋର ଓ କିଶୋରୀଙ୍କୁ ଟିକା ଦିଆଯିବ । ଏମାନଙ୍କୁ କେବଳ କୋଭାକ୍ସିନ ଟିକା ଦିଆଯିବାକୁ ଥିବା ବେଳେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ସୂଚନା ମିଳିଛି ।
ଏହି ନିର୍ଦ୍ଦିଷ୍ଟ ବର୍ଷର ପ୍ରାୟ ୨୩ ଲକ୍ଷ ୬୫ ହଜାର ପିଲାଙ୍କୁ ଟିକା ଦିଆଯିବ । ବର୍ତ୍ତମାନ ରାଜ୍ୟରେ 2700 ଟୀକାକରଣ କେନ୍ଦ୍ରରେ ଚାଲୁ ରହିଛି ଟୀକାକରଣ । ପ୍ରତି ବ୍ଲକରେ 10ଟି ମୋବାଇଲ ଗାଡି଼ ରହିଛି । ଟୀକାକରଣ କରିବାରେ କୌଣସି ଅସୁବିଧା ହେବ ନାହିଁ । ଆବଶ୍ୟକ ପଡ଼ିଲେ ଟୀକାକରଣ କେନ୍ଦ୍ରକୁ ବୃଦ୍ଧି କରାଯିବ। ଜିଲ୍ଲାଗୁଡ଼ିକ ପରିସ୍ଥିତି ଦେଖି ସେମାନେ ଟୀକାକରଣ କେନ୍ଦ୍ର ବଢ଼ାଇ ପାରିବେ ବୋଲି ପ୍ରତ୍ୟେକ ଜିଲ୍ଲାକୁ ନିର୍ଦ୍ଦେଶ ରହିଛି ।
ଅନ୍ୟପଟେ ରାଜ୍ୟରେ ସଂକ୍ରମଣ ବଢୁଛି । ଏଣୁ ଟୀକାକରଣ କେନ୍ଦ୍ରରେ ଭିଡ଼କୁ ଏଡ଼ାଇବାକୁ ପ୍ରାଥମିକତା ଦିଆଯିବ । ସ୍ଲଟ ସମୟ ଅନୁସାରେ ସମସ୍ତଙ୍କୁ ଅଲଗା ଅଲଗା ସମୟ ଦିଆଯିବ । ଯଦି ବି ଭିଡ଼ ହେବ ତେବେ କୋଭିଡ଼ର ଗାଇଡ଼ ଲାଇନ ମାନିବାକୁ ପଡିବ । ମାସ୍କ ଓ ସାମାଜିକ ଦୂରତା ସହ ଅଯଥା ଗହଳି କରିବେ ନାହିଁ । ଏହି ବର୍ଗର ପିଲାଙ୍କୁ କେବଳ କୋଭାକ୍ସିନ ଦିଆଯିବ। ସକାଳ ୫ ଟାରୁ 1ଟା ପର୍ଯ୍ୟନ୍ତ ଟୀକାକରଣ ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।