ଭୁବନେଶ୍ବର: ଉତ୍କଳ ବିଶ୍ବ ବିଦ୍ୟାଳୟର ଛାତ୍ରୀ ନିବାସରେ ପିଇବା ପାଣିର ଘୋର ଅଭାବ। ରାସ୍ତାକୁ ଓହ୍ଲାଇଲେ ଶୈଳବାଳା ଛାତ୍ରୀନିବାସର ଶତାଧିକ ଛାତ୍ରୀ। ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇବା ସହ ବୁଧବାର ରାତିରେ ଧାରଣାରେ ବସି ରହିଥିଲେ। ରାତି ପ୍ରାୟ ସାଢ଼େ ୧୨ଟା ସମୟରେ ଛାତ୍ରୀମାନେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କୁ ବାସଭବନରେ ସାକ୍ଷାତ କରି ସମସ୍ୟା ସମ୍ପର୍କରେ ଜଣାଇଥିଲେ। ହଷ୍ଟେଲ ସମସ୍ୟାର ସମାଧାନ କରାଯିବା ନେଇ କୁଳପତି ଆଶ୍ବାସନା ଦେବା ପରେ ଛାତ୍ରୀମାନେ ଧାରଣାରୁ ଓହରିଥିଲେ । ତେବେ ଛାତ୍ର ଗଣ୍ଡଗୋଳ ବିବାଦର ସମାଧାନ ହୋଇନଥିବା ବେଳେ ବିଶ୍ବବିଦ୍ୟାଳୟରେ ଏବେ ହଷ୍ଟେଲ ସମସ୍ୟା କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇଛି ।
ବହୁଦିନ ହେବ ଛାତ୍ରୀନିବାସରେ ପାଣି ସମସ୍ୟା ଲାଗିରହିଛି । ଆଗରୁ କେତେବେଳେ କେମିତି ପାଣି ଆସୁଥିଲା, ଏନେଇ କର୍ତୃପକ୍ଷଙ୍କୁ ଅବଗତ କରାଇଥିଲେ, ମାତ୍ର ଗତକାଲି ସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିଲା । ପିଇବା ପାଣି ଆଦୌ ନ ଆସିବାରୁ ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଏ ବିଷୟରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିଥିଲା । ଯେଉଁଥିପାଇଁ ସନ୍ଧ୍ୟାରେ ହଷ୍ଟେଲର ସମସ୍ତ ଛାତ୍ରୀ ହାତରେ ବାଲ୍ଟି ଧରି ରାସ୍ତାକୁ ଓହ୍ଲାଇଥିଲେ। ଯେପର୍ଯ୍ୟନ୍ତ ପିଇବା ପାଣି ସମସ୍ୟାର ସମାଧାନ ନ ହୋଇଛି ସେପର୍ଯ୍ୟନ୍ତ ଧାରଣାରୁ ହଟିବେ ନାହିଁ ବୋଲି କହିଥିଲେ।