ଭୁବନେଶ୍ବର: ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ଲାଟିନମ ଜୁବଲିର ଦ୍ବିତୀୟ ଦିବସରେ ମଞ୍ଚରେ ଏକାଠି ହେଲେ ବିଭିନ୍ନ ଦଳର ରାଜନେତା । ଜୁବଲି ଅବସରରେ ଗୋଟିଏ ମଞ୍ଚରେ ବିଭିନ୍ନ ରାଜନୈତିକ ଦଳର ନେତା ମାନଙ୍କୁ ଦେଖିବାକୁ ମିଳିଛି । ରାଜନୈତିକ ଉଦ୍ଦେଶ୍ୟରେ ନୁହେଁ ବରଂ ଉତ୍କଳ ବିଶ୍ବବିଦ୍ୟାଳୟର ପୁରାତନ ଛାତ୍ର ଭାବରେ ଏକତ୍ରିତ ହୋଇଛନ୍ତି ଗୋଟିଏ ମଞ୍ଚରେ ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ରାଜ୍ୟର ଏକ ସୁନାମଧନ୍ୟ ବିଶ୍ବବିଦ୍ୟାଳୟ ଭାବେ ପ୍ରତିଷ୍ଠା ଲାଭ କରିଛି ଉତ୍କଳ ବିଶ୍ବବିଦ୍ୟାଳୟ । ମହାପୁରୁଷ ମାନେ ଭବିଷ୍ୟତ ପାଇଁ ମଞ୍ଜି ପୋତି ଏକ ବିରାଟ ବଟ ବୃକ୍ଷ ଜନ୍ମ ଦେଇଛନ୍ତି । ଆଜି ସେହି ଉତ୍କଳ ବିଶ୍ଵବିଦ୍ୟାଳୟ ୭୫ ବର୍ଷରେ ପଦାର୍ପଣ କରିଛି । ନେତୃତ୍ବ ବିନା ସମାଜ ବା ସଂଗଠନ ଆଗେଇ ପାରିବ ନାହିଁ । ଏହି ଅବସରରେ ଉତ୍କଳ ବିଶ୍ଵବିଦ୍ୟାଳୟକୁ ବିଶ୍ବସ୍ତରୀୟ କରିବାକୁ ଆହ୍ବନ ଦେଇଛନ୍ତି ପୁରାତନ ଛାତ୍ରଛତ୍ରୀ । ରାଜନୈତିକ ଭାବରେ ନୁହେଁ ବରଂ ପୁରାତନ ଛାତ୍ର ଭାବରେ ସଂକଳ୍ପ କରିଛନ୍ତି । ସମସ୍ତେ ସମସ୍ତଙ୍କର ରାଜନୈତିକ ବିବାଦକୁ ଭୁଲି ଆଜି ଦିନରେ ପୁରାତନ ଛାତ୍ର ଭାବରେ ମଞ୍ଚରେ ଏକାଠି ହୋଇଛନ୍ତି ।
କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳ ବିଶ୍ବବିଦ୍ୟାଳୟର ଉନ୍ନତି ପାଇଁ ଶହେ କୋଟି ଟଙ୍କା ଅନୁଦାନ ଘୋଷଣା କରିଛନ୍ତି । ଏହାସହ ପୁରାତନ ଛାତ୍ର ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ଏକବର୍ଷର ଦରମା ଦେବାକୁ ଘୋଷଣା କରିଛନ୍ତି । ଏବଂ ସମସ୍ତ ପୁରାତନ ଛାତ୍ର ନିଜ ନିଜ ସାଧ୍ୟ ମତେ ସହାୟତା ଦେବାକୁ ଆହ୍ବାନ ଦେଇଛନ୍ତି । ଖାଲି ଏତିକି ନୁହେଁ ବିଶ୍ଵବିଦ୍ୟାଳୟର ବିଭିନ୍ନ ଉନ୍ନତିମୂଳକ କାମ କରାଯିବା ସହ ଏକ ସ୍ବତନ୍ତ୍ର ଅଡିଟୋରିୟମ ଓ ଉଚ୍ଚ ମାନର ରିସର୍ଚ୍ଚ ସେଣ୍ଟର କରାଯିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସେହିପରି ଅନ୍ୟ ଅତିଥିଙ୍କ ମଧ୍ୟରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫଲ୍ଲ ଘୋଡାଇ କହିଛନ୍ତି ଆଜି ହେଉଛି ଆନନ୍ଦର ଦିନ । ବିଶ୍ବବିଦ୍ୟାଳୟକୁ ପୁରିଛି 75ବର୍ଷ । ବିଶ୍ବବିଦ୍ୟାଳୟର ପ୍ରଥମ ବର୍ଷ ଛାତ୍ର ଭାବେ ସେ ଗର୍ବିତ । ଏହି ଐତିହାସିକ ଦିନରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଯୋଡି ବିଶ୍ବବିଦ୍ୟାଳୟର ଉନ୍ନତି ସହ ଓଡିଶାର ବିକାଶ କରିବା ଦରକାର ବୋଲି ସେ କହିଛନ୍ତି । ଅନ୍ୟ ପୁରାତନ ଛାତ୍ର ଭାବେ ଯୋଗଦେଇ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ କହିଛନ୍ତି ସମସ୍ତ ପୁରାତନ ଛାତ୍ରଛାତ୍ରୀ ଏକାଠି ହୋଇ ବର୍ତ୍ତମାନକୁ ସାଥୀରେ ଧରି କେମିତି ବିଶ୍ବବିଦ୍ୟାଳୟକୁ ଦେଶର ଏକ ଅଗ୍ରଣୀ ବିଶ୍ବବିଦ୍ୟାଳୟ କରାଯାଇ ପାରିବ ସେନେଇ ଯୋଜନା କରିବାର ଆବଶ୍ୟକତା ଅଛି ବୋଲି କହିଛନ୍ତି । ଏହାସହ 100ତମ ଦିବସ ପାଳନ ଯେତେବେଳେ ହେବ ସେତେବେଳେ କେମିତି ବିଶ୍ବରେ ଉତ୍କଳ ବିଶ୍ବବିଦ୍ୟାଳୟ ସ୍ଥାନ ପାଇଥିବ ସେନେଇ କାର୍ଯ୍ୟକ୍ରମ ହେବା ଉଚିତ ବୋଲି କହିଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ