ଭୁବନେଶ୍ବର:ସହରୀ ଯୋଜନାରେ ସାମିଲ ହୋଇଥିବା ରାଜଧାନୀ ଉପକଣ୍ଠର 45ଟି ମୌଜାକୁ ସଂଯୋଗ ଲାଗି ପ୍ରସ୍ତାବିତ ‘ରିଙ୍ଗ ରୋଡ’ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଲେ ଉନ୍ନୟନ ମନ୍ତ୍ରୀ । ଏଥିସହିତ ଏହି ଯୋଜନାରେ ଅର୍ନ୍ତଭୁକ୍ତ ହୋଇଥିବା ଅଞ୍ଚଳରେ ସମସ୍ତ ପ୍ରକାର ଭିତ୍ତିଭୂମି ଯୋଗାଇ ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ରାଜଧାନୀ ଉପକଣ୍ଠରେ ଥିବା ଇଲାକାରେ ସହରୀ ଯୋଜନାକୁ ବ୍ୟବସ୍ଥିତ କରିବା ଲାଗି ସେଗୁଡିକୁ ଟାଉନ୍ ପ୍ଲାନିଂ(ଟିପି) ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇଛି । ଏଥିରେ ମୋଟ 45ଟି ମୌଜା ସାମିଲ ହୋଇଛି ।
ଏଠାରେ ଥିବା ଜମିମାଲିକମାନଙ୍କୁ ଜଳ, ବିଦ୍ୟୁତ୍, ସଡକ ଭଳି ମୌଳିକ ସୁବିଧା ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି । ବିଡିଏ ଏହି ଯୋଜନାକୁ କାର୍ଯ୍ୟକାରୀ କରୁଥିବାବେଳେ ଇତିମଧ୍ୟରେ 4ଟି ମୌଜାରେ କାର୍ଯ୍ୟ ସରିଥିବା ସୂଚନା ମିଳିଛି । ଅବଶିଷ୍ଟ ମୌଜାଗୁଡିକରେ ପର୍ଯ୍ୟାୟକ୍ରମେ ଭିତ୍ତିଭୂମି ବିକାଶ କାର୍ଯ୍ୟ ସାରିବା ଲାଗି ମନ୍ତ୍ରୀ ବିଡିଏ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହିସବୁ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ଭିତ୍ତିଭୂମି କାର୍ଯ୍ୟ କେତେ ପରିମାଣରେ ଆଗେଇଛି ତାହାର ସ୍ଥିତି ସମୀକ୍ଷା କରିଛନ୍ତି ମନ୍ତ୍ରୀ । ଏହି ଯୋଜନାରେ ଅର୍ନ୍ତଭୁକ୍ତ ଅଞ୍ଚଳରେ ସ୍ବରେଜ ବ୍ୟବସ୍ଥା ଲାଗି ତୁରନ୍ତ ଡିପିଆର ପ୍ରସ୍ତୁତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଡିପିଆର ପ୍ରସ୍ତୁତ ପରେ ରାଜ୍ୟ ବଜେଟରେ ଏଥିପାଇଁ ଅର୍ଥ ବରାଦ ହୋଇପାରିବ ।