ଭୁବନେଶ୍ବର: ରାଜ୍ୟ ବିଧାନସଭାରେ ଆଉ ଚଳିବନି ହଙ୍ଗାମା । ବନ୍ଦ ହେବ ବିଶୃଙ୍ଖଳା । ଏଣିକି ବିଧାୟକ ନିଜ ସ୍ଥାନରେ ଛିଡା ହୋଇ କରିବେ ପ୍ରତିବାଦ । ଗୃହ ଭିତରକୁ ଆସି ହୋହାଲ୍ଲା କରିବା, ବାଚସ୍ପତିଙ୍କ ଟେବୁଲକୁ ଚଢିବା, କାଗଜ ଫୋପାଡିବା ଏହି ସବୁ ପ୍ରତିବାଦରେ ଏବେ ଯବନିକା ପଡିବାକୁ ଯାଉଛି । କାରଣ ବର୍ତ୍ତମାନର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହିସବୁ ବନ୍ଦ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।
ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ ସେଥିପାଇଁ ଗତ ମାସରେ ଦିଲ୍ଲୀରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନେତୃତ୍ବରେ ଅନୁଷ୍ଠିତ ସମସ୍ତ ରାଜ୍ୟର ବିଧାନସଭା ବାଚସ୍ପତିଙ୍କ ସମ୍ମିଳନୀରେ ପ୍ରସ୍ତାବ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଲୋକସଭା ବାଚସ୍ପତି ମଧ୍ୟ ଏହି ପ୍ରସ୍ତାବକୁ ଗ୍ରହଣ କରିବା ସହ ପରର୍ବତ୍ତୀ ସମ୍ମିଳନୀ ମଧ୍ୟରେ ଏନେଇ ପଦକ୍ଷେପ ନେବେ ବୋଲି କହିଛନ୍ତି ।
ଏକଥା ଜଣାପଡିବା ପରେ ରାଜ୍ୟରେ କଂଗ୍ରେସ ଓ ବିଜେପି ଯୋରଦାର ସମାଲୋଚନା କରିଛନ୍ତି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତି କହିଛନ୍ତି ବଚସ୍ପତି ପ୍ରଥମେ ନିରପେକ୍ଷ ହୁଅନ୍ତୁ । ସରକାରୀ ଦଳର ହାତ ବାରିଶୀ ନହୋଇ ନିଜ ପଦ ମର୍ଯ୍ୟଦା ରକ୍ଷା କରନ୍ତୁ । ତାହାହେଲେ ଯାଇ ଗୃହ ଠିକ ଭାବେ ଚାଲିବ । ନଚେତ ଆମେ କୌଣସି ନିୟମ ମାନିବୁ ନାହିଁ । ବିରୋଧ ପ୍ରତିବାଦ ଜାରି ରହିବ । ସେହିପରି ବିଧାୟକ ସୁର ରାଉତରାୟ ମଧ୍ୟ ସମାନ କଥା କହିଛନ୍ତି ।
ଅନ୍ୟପଟେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ଏହି ପ୍ରସ୍ତାବକୁ ବିରୋଧ କରି କହିଛନ୍ତି ଲୋକେ ଆମକୁ ପ୍ରତିବାଦ କରିବା ପାଇଁ ବିଧାନସଭା ପଠାଇଛନ୍ତି । ଆମେ ବେଆଇନ କାମକୁ ବିରୋଧ କରିବୁନିତ କରିବୁ କଣ? ଯଦି ବାଚସ୍ପତି ବିରୋଧୀଙ୍କ ସ୍ବର ନଚପାଇବେ ତାହାହେଲେ ଆମେ ସହଯୋଗ କରିବୁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ