ଭୁବନେଶ୍ବର: ରାଜ୍ୟରେ ଲକଡାଉନ ବୃଦ୍ଧି କିମ୍ବା ଅନଲକ କରିବା ନେଇ ବିଚାର ବିମର୍ଷ ଆରମ୍ଭ କରୁଛନ୍ତି ସରକାର । ରାଜ୍ୟରେ ଜାରି ରହିଛି ଦ୍ଵିତୀୟ ଲହରର ତୃତୀୟ ପର୍ଯ୍ୟାୟ ଲକଡ଼ାଉନ । ଯାହା ଆସନ୍ତା 17 ତାରିଖ ସକାଳ 5 ଟାରେ ଶେଷ ହେବ । ଏହାକୁ ନେଇ ନାନା କଳ୍ପନା ଜଳ୍ପନା ଜାରି ରହିଛି । ରାଜ୍ୟରେ ଅନଲକ ପ୍ରକ୍ରିୟା ଆରମ୍ଭ ହେଉ କିନ୍ତୁ କଟକଣା ଯୁକ୍ତ ରହୁ ବୋଲି ବିଭିନ୍ନ ରାଜନୈତିକ ପ୍ରତିକ୍ରିୟା ଦେଇଛନ୍ତି ।
ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି ଯେ, ବର୍ତ୍ତମାନ ଲକଡାଉନ ଜାରି ରହିଛି । ଆଗକୁ ସରକାର ବିଭିନ୍ନ ଦିଗକୁ ବିଚାର କରି ନିଷ୍ପତ୍ତି ନେବେ । ଜୀବନ ଓ ଜୀବିକା ନିଶ୍ଚିତ ଭାବେ ସ୍ଵାଭାବିକ ହେବ ବୋଲି ଅମର କହିଛନ୍ତି । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ । ପୂର୍ବରୁ ସାରା ରାଜ୍ୟକୁ ଅନଲକ କରିବାକୁ ସୁରେଶ ଦାବି କରୁଥିଲେ । କିନ୍ତୁ ବଢୁଥିବା ସଂକ୍ରମଣକୁ ଦେଖି ବଦଳିଛି ସୁରଙ୍କ ସ୍ବର । ଖୋର୍ଦ୍ଧା, ଭୁବନେଶ୍ବର, କଟକ ଓ ବାଲେଶ୍ବର ଜିଲ୍ଲା ସମେତ ଉପକୂଳ ଓଡିଶାରେ କୋଭିଡ ସଂକ୍ରମଣ ସ୍ଥିତି ସ୍ବଭାବିକ ହୋଇନାହିଁ । ବିଭିନ୍ନ ହସ୍ପିଟାଲରେ ଯେଉଁଭଳି ଭାବେ ଲୋକଙ୍କ ମୃତ୍ୟୁ ହେଉଛି । ଏହାକୁ ଦୃଷ୍ଟିରେ ରଖି ଆଉ କିଛି ଦିନ ଲକଡାଉନ ବୃଦ୍ଧି କରିବା ଦରକାର ବୋଲି ସୁର କହିଛନ୍ତି ।