ଭୁବନେଶ୍ବର:ସରିଛି ଗଜାନନଙ୍କ ପୂଜା । ଆଉ ଏବେ ବିସର୍ଜନ । ସବୁଠି ଚାଲିଛି ନିଆରା ଢ଼ଙ୍ଗରେ ବିଘ୍ନନାଶକଙ୍କ ବିଦାୟ । କେଉଁଠି ବାଜା ବଜାଇ ତ ଆଉ କେଉଁଠି ମହାରାଷ୍ଟ୍ରର ପାରମ୍ପାରିକ ବାଦ୍ୟ ବାଦକରେ ଦିଆଯାଉଛି ବିଦାୟ । ଏହି କ୍ରମରେ ଭୁବନେଶ୍ୱର ପ୍ରଶାନ୍ତି ବିହାରର ସ୍ଥିତ ଦି କ୍ଲବର ସଦସ୍ୟମାନେ ଗଣେଶ ଭସାଣୀ ଏକ ଭିନ୍ନ ଢ଼ଙ୍ଗରେ କରିଛନ୍ତି ।
ଭସାଣୀ ଖର୍ଚ୍ଚରେ ପିଲାଙ୍କ ଭବିଷ୍ୟତ ପାଇଁ ଲକ୍ଷ୍ୟ, ଡିଜେ ଓ ରୋଶଣି ନ କରି ବାଣ୍ଟିଲେ ସ୍କୁଲ କିଟ୍ ଭସାଣୀରେ ଡିଜେ ବାଣରେ ରୋଷଣୀ ନକରି ସେହି ଖର୍ଚ୍ଚ ଟଙ୍କାକୁ ବିନିଯୋଗ କରିଛନ୍ତି କିଛି ଅନାଥ ପିଲାଙ୍କ ମଧ୍ୟରେ । ଆଉ ଗଢୁଛନ୍ତି ପିଲାଙ୍କ ଭବିଷ୍ୟତ । ଯେଉଁ ପିଲାର କେହି ସାହା ଭରସା ନାହିଁ ତାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି କ୍ଲବର ସଦସ୍ୟ ମାନେ । ମାନବ ସେବା ହିଁ ମାଧବ ସେବା । ଏହାକୁ ଲକ୍ଷ୍ୟରେ ରଖି ଦି କ୍ଲବର ଆଡଭାଇଜର ଏଭଳି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ।
କଥାରେ ଅଛି ମାନବ ସେବା ହିଁ ମାଧବ ସେବା । ଯାହାକୁ କରି ଦେଖାଇଛନ୍ତି କିଛି ଯୁବଗୋଷ୍ଠୀ । ଗଣେଶ ପୂଜା ଭସାଣୀରେ ଅଯଥା ଖର୍ଚ୍ଚ ନକରି ପିଲାଙ୍କୁ ବାଣ୍ଟିଛନ୍ତି ସ୍କୁଲ ବ୍ୟାଗ୍ । ଏହି ପିଲାମାନଙ୍କୁ ଭସାଣୀରେ ନିମନ୍ତ୍ରଣ କରି ସମ୍ମାନର ସହ ସ୍କୁଲ ବ୍ୟାଗ, ଟିଫିନ ବକ୍ସ, ପେନସିଲ, ଜୋମେଟ୍ରି ବକ୍ସ ଭଳି ନୋଟବୁକ ଓ ସ୍କୁଲ କିଟ୍ ଦେଇଛନ୍ତି ।
ଗଣେଷ ପୂଜା ସଗୃହୀତ ଅର୍ଥକୁ ଏହି କୁନି ପିଲାଙ୍କ ପାଇଁ ବିନିଯୋଗ କରି ସେମାନଙ୍କ ମୁହଁରେ ହସ ଫୁଟାଇଛନ୍ତି । ଏପରିକି ପିଲାଙ୍କୁ ମଣ୍ଡପ ନିକଟରେ ପେଟ ପୁରା ଖାଇବାକୁ ଦେବାସହ ସେମାନଙ୍କର କିଛି ସେବା କରିଛନ୍ତି ଦି କ୍ଲବର ସଦସ୍ୟମାନେ। ଅନ୍ୟପଟେ ଏଭଳି ପଦକ୍ଷେପକୁ ସ୍ବାଗତ କରିଛନ୍ତି ସ୍ଥାନୀୟ କର୍ପୋରେଟର ।
ଆଗକୁ ପୂଜାର ମାହୋଲ ଆସୁଥିବା ବେଳେ ଅନେକ ମଣ୍ଡପରେ ହେବ ଅନେକ ଖର୍ଚ୍ଚ। ଟଙ୍କାକୁ ଅଯଥା ଖର୍ଚ୍ଚ ନକରି ଦି କ୍ଲବର ସଦସ୍ୟଙ୍କ ପରି ଟଙ୍କାକୁ ଏପରି ଜନମଙ୍ଗଳକାରୀ ଦିଗରେ ବିନିଯୋଗ କରିବାକୁ କହିଛନ୍ତି । ଏହାଏକ ଦୃଷ୍ଟାନ୍ତମୂଳକ ପଦକ୍ଷେପ । ଏହିପରି ଅନ୍ୟ ମଣ୍ଡପର କର୍ମକର୍ତ୍ତା ଓ ପୂଜା ଖର୍ଚ୍ଚକୁ ଜନମଙ୍ଗଳରେ ବିନିଯୋଗ ପାଇଁ ଆହ୍ବାନ ବି କରିଛନ୍ତି ।
ତେବେ ପ୍ରତ୍ୟକ ବର୍ଷ ପୁଜା ସମୟରେ ଭସାଣୀରେ ଡିଜେ ବଜାଇ ବାଣ ଫୁଟାଇ ରାସ୍ତା ଉପରେ ରୋଶଣି ହୁଏ । ଏହାଦ୍ବାରା ସାଉଣ୍ଡ ପଲ୍ୟୁସନ ଠୁ ଆରମ୍ଭ କରି ପରିବେଶ ପ୍ରଦ୍ୟୁଷଣ ଓ ଟ୍ରାଫିକ ଭିଡ଼ ଭଳି ପରିସ୍ଥିତି ଉପୁଜେ । ତେବେ ଏହି କ୍ଲବ ମେମ୍ବରଙ୍କ ଏପରି ପଦକ୍ଷେପକୁ ଏବେ ଶହେ ସଲାମ ।
ଇଟିଭି ଭାରତ, ଭୁବନେଶ୍ବର