ଓଡିଶା

odisha

ETV Bharat / city

ଗ୍ୟାସ ପାଇପ ଲାଇନ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ, ରାଜ୍ୟ ସରକାରଙ୍କୁ କେନ୍ଦ୍ର ସଚିବଙ୍କ ପ୍ରଶଂସା - ଓଡିଶାରେ ଗ୍ୟାସ୍ ପାଇପ୍‌ଲାଇନ୍ ପ୍ରକଳ୍ପ

ରାଜ୍ୟରେ ଚାଲିଥିବା ପ୍ରମୁଖ ଗ୍ୟାସ‌ ପାଇପ୍‌ଲାଇନ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ ହୋଇଛି । ଏନେଇ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ସଚିବ ତରୁଣ କପୁର ରାଜ୍ଯ ସରକାରଙ୍କୁ ପ୍ରଂଶସା କରିଛନ୍ତି । ଅଧିକ ପଢନ୍ତୁ..

ଗ୍ୟାସ୍ ପାଇପ୍‌ଲାଇନ୍ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ,  ରାଜ୍ୟ ସରକାରଙ୍କୁ କେନ୍ଦ୍ରୀୟ ସଚିବଙ୍କ ପ୍ରଶଂସା
ଗ୍ୟାସ୍ ପାଇପ୍‌ଲାଇନ୍ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ, ରାଜ୍ୟ ସରକାରଙ୍କୁ କେନ୍ଦ୍ରୀୟ ସଚିବଙ୍କ ପ୍ରଶଂସା

By

Published : Apr 5, 2021, 10:54 PM IST

ଭୁବନେଶ୍ବର: ତ୍ୱରାନ୍ୱିତ ହୋଇଛି ରାଜ୍ୟରେ ଚାଲିଥିବା ପ୍ରମୁଖ ଗ୍ୟାସ୍‌ ପାଇପ୍‌ଲାଇନ୍ ପ୍ରକଳ୍ପ କାର୍ଯ୍ୟ । ଗ୍ରାଉଣ୍ଡ ଲେବଲରେ ଥିବା ବିଭିନ୍ନ ସମସ୍ୟା ଗୁଡ଼ିକର ସମାଧାନ ସହ କର୍ଯ୍ୟାନ୍ବୟନ ତ୍ବରାନ୍ବିତ ହୋଇଛି । ଲୋକସେବା ଭବନରେ ସୋମବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଛି ।

ବୈଠକରେ କେନ୍ଦ୍ରୀୟ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଶାସନ ସଚିବ ତରୁନ କପୁର ଉପସ୍ଥିତ ଥିଲେ । ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରି ସନ୍ତୋଷ ପ୍ରକାଶ କରିଛନ୍ତି ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଶାସନ ସଚିବ । ସକ୍ରିୟ ଏବଂ ସମୟୋପଯୋଗୀ ସହଯୋଗ ପାଇଁ ରାଜ୍ୟ ଓ ଜିଲ୍ଲା ପ୍ରଶାସକଙ୍କୁ ପ୍ରଶଂସା କରିଛନ୍ତି ତରୁନ ।

ମନ୍ତ୍ରଣାଳୟର ସର୍ବାଧିକ ପୁଞ୍ଜିନିବେଶ ଓଡ଼ିଶାରେ ହୋଇଛି । ଆଗାମୀ ଦିନରେ ଆହୁରି ସୋମନାଥପୁରରେ ପୁଞ୍ଜିନିବେଶ ଲାଗି ବ୍ୟବସ୍ଥା କରାଯାଉଛି । ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍‌ର ବିଭିନ୍ନ ପ୍ରକଳ୍ପ ନିମନ୍ତେ ରାଜ୍ୟସରକାରଙ୍କ ଠାରୁ ବିଭିନ୍ନ ସମୟରେ ସହଯୋଗ ମିଳିଛି ।

ସୁନ୍ଦରଗଡ଼, ଅନୁଗୁଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର ଆଦି ଜିଲ୍ଲା ଦେଇ ଯାଉଥିବା ଗ୍ୟାସ୍ ପାଇପ ଲାଇନ୍ ନିମନ୍ତେ ୬୫ କି.ମି. ର ପ୍ରଥମ ପର୍ଯ୍ୟାୟ ଜଙ୍ଗଲ ଅନୁମତି ମିଳିଛି । କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ବୟନ ନିମନ୍ତେ ଆବଶ୍ୟକୀୟ ଅନୁମୋଦନ ମିଳିସାରିଛି । ଏସବୁ ଜିଲ୍ଲାରେ କ୍ଷେତ୍ରସ୍ତରୀୟ କାର୍ଯ୍ୟ ତ୍ବରାନ୍ବିତ ଗତିରେ ଚାଲିଛି ।

ବୈଠକରେ ମୁଖ୍ୟତଃ ଗେଲ୍ ଇଣ୍ଡିଆର ବୋକାରୋ - ଅନୁଗୁଳ ପାଇପ୍ ଲାଇନ, ଆଇଓସିଏଲର ପାରାଦୀପ-ହାଇଦ୍ରାବାଦ୍ ପାଇପ୍ ଲାଇନ୍ ଏବଂ ପାରାଦୀପ-ସୋମନାଥପୁର ପାଇପ୍ ଲାଇନ୍ କାର୍ଯ୍ୟର ଅଗ୍ରଗତି ସମୀକ୍ଷା ହୋଇଛି । ଏହି ତିନିଟି ପ୍ରକଳ୍ପ ସୁନ୍ଦରଗଡ଼, ଅନୁଗୁଳ, ଜଗତସିଂପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର ଆଦି ୬ଟି ଜିଲ୍ଲା ଦେଇ ଗତିକରୁଛି । ଯେଉଁମାନଙ୍କର ଜମି ତଳ ଦେଇ ପାଇପ୍ ଲାଇନ୍ ଯାଉଛି ସେମାନଙ୍କୁ କ୍ଷତିପୂରଣ ସହାୟତା ବଣ୍ଟନ, ଜଙ୍ଗଲ ଅନୁମତି ଏବଂ ଅନ୍ୟାନ୍ୟ ଆଇନଗତ ଅନୁମତି ଆଦି ବିଷୟ ଆଲୋଚନା ହୋଇ ସମାଧାନ କରାଯାଇଛି ।

ପାରାଦୀପର ପିସିପିଆଇଆର ଓ ପ୍ଲାଷ୍ଟିକ୍ ପାର୍କର ଅଗ୍ରଗତି ବିଷୟ ମଧ୍ୟ ବୈଠକରେ ଆଲୋଚନା ହୋଇଛି । କୃଷି ବର୍ଜ୍ୟରୁ ଗ୍ୟାସ୍ ଉତ୍ପାଦନ ନିମନ୍ତେ ଆପିକଲ୍ ମାଧ୍ୟମରେ ତୁରନ୍ତ ମଡ଼େଲ୍ ଗାଇଡ଼ ଲାଇନ୍ ପ୍ରସ୍ତୁତ ହେବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ଆଇଓସିଏଲର ଅଧ୍ୟକ୍ଷ ଶ୍ରୀକାନ୍ତ ମାଧବ ବୈଦ୍ୟ, ଇଡକୋର ଅଧ୍ୟକ୍ଷ ସଂଜୟ ସିଂ, ପରିବେଶ ନିର୍ଦ୍ଦେଶକ ସୁଶାନ୍ତ ନନ୍ଦ, ଇପିକଲ୍‌ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ନିତୀନ୍ ଭାନୁଦାଶ ଜାୱାଲେ, ରାଜସ୍ବ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ଶାସନ ସଚିବ ଅଭିୟ ନାୟକଙ୍କ ସମେତ ଗେଲ ଇଣ୍ଡିଆ, ଆଇଓସିଏଲ୍ ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details