ମାଲକାନଗିରି: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମାଲକାନଗିରି ଗସ୍ତରେ ରହିଛନ୍ତି । ଦିନ ପ୍ରାୟ ଦଶଟା ସମୟରେ ମାଲକାନଗରିରେ ପହଞ୍ଚିବା ପରେ ସୁବାଷ ବୋଷ ଛକ ନିକଟରେ ରେଳମନ୍ତ୍ରୀଙ୍କୁ ସ୍ବାଗତ କରାଯାଇଥିଲା । ଆଦିବାସୀ ଧୂନ୍ ସହ ନୃତ୍ୟର ତାଳେ ତାଳେ ମନ୍ତ୍ରୀ ମଧ୍ୟ ସାମିଲ ହୋଇଥିଲେ । ପରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକଘର ସହ କେନ୍ଦୁଝର, ବୌଦ୍ଧ ଏବଂ ବାଲେଶ୍ବରର ଉପଡାକଘରର ନୂତନ କୋଠା ଗୃହକୁ ଉଦଘାଟନ କରିଥିଲେ । ଡାକଘର ଉଦଘାଟନ ପରେ ଡିଆରଡିଏ ସମ୍ମିଳନୀ କକ୍ଷରେ ପ୍ରଶାସନିକ ଅଧିକାରୀ ଓ ଲୋକ ପ୍ରତିନିଧୀଙ୍କୁ ନେଇ କେନ୍ଦ୍ରୀୟ ଯୋଜନା ଗୁଡିକର ସମୀକ୍ଷା କରିଥିଲେ।
ବିଶେଷକରି ପାନୀୟ ଜଳ, ମୋବାଇଲ ନେଟୱାର୍କ, ରାସ୍ତା, ଗରିବଙ୍କୁ ପୁଷ୍ଟିସାର ଖାଦ୍ୟ ଉପରେ ଗୁରୁତ୍ବ ଦେଇଥିଲେ । ପରେ ସାମ୍ବାଦିକ ସମ୍ମିଳନୀ କରି ମାଲକାନଗିରି ରେଳ ପ୍ରକଳ୍ପକୁ ମାଲକାନଗିରି ଠାରୁ ଭଦ୍ରାଞ୍ଚଲମ ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବ ଓ ନବରଙ୍ଗପୁର ଠାରୁ ଜୁନାଗଡ ପର୍ଯ୍ୟନ୍ତ ନୂତନ ସଂଯୋଗୀକରଣ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା କହିଥିଲେ । ଯାହାଦ୍ବାରା ଭଦ୍ରାଞ୍ଚଲମରୁ ଜୁନାଗଡ ପର୍ଯ୍ୟନ୍ତ ରେଲବାଇର ନୂତନ କରିଡର ପ୍ରତିଷ୍ଠା ହୋଇପାରିବ। ମନ୍ତ୍ରୀ ବୈଷ୍ଣବ କହିଛନ୍ତି ରେଲବାଇ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଓ ପ୍ରଶାସନ ଯେତେ ଶୀଘ୍ର ଜମି ଯୋଗାଇ ଦେବେ କାମ ହେବ ବୋଲି କହିଛନ୍ତି ।