ଭୁବନେଶ୍ୱର:ରାଜଧାନୀରେ ଅନୁଷ୍ଠିତ ହୋଇଛି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ପୂର୍ବାଞ୍ଚଳ ଜୋନ୍ସ୍ତରୀୟ ସମ୍ମିଳନୀ । କାର୍ଯ୍ୟକ୍ରମକୁ ଭିସି ଜରିଆରେ ଉଦଘାଟନ କରିଛନ୍ତି ବିଭାଗୀୟ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ବୈଠକରେ ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାରର ପ୍ରତିନିଧି ଯୋଗ ଦେଇଛନ୍ତି । ମିଶନ ପୋଷଣ 2.0, ମିଶନ ଶକ୍ତି ଏବଂ ମିଶନ ବାତ୍ସଲ୍ୟ ଯୋଜନାର ସଫଳ ରୂପାୟନ ପାଇଁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ରାଜ୍ୟ ସରକାର ଏବଂ ଅଂଶୀଦାରମାନଙ୍କ ସହ ବିଚାରବିମର୍ଷ ପାଇଁ ଏହି ଜୋନ୍ ସ୍ତରୀୟ ସମ୍ମିଳନୀ ଆୟୋଜନ ହୋଇଛି ।
ଦେଶର ମୋଟ ଜନସଂଖ୍ୟା ମଧ୍ୟରୁ ୬୭.୭% ମହିଳା ଓ ଶିଶୁ । ଏମାନଙ୍କର ସୁରକ୍ଷା ଏବଂ ସଶକ୍ତିକରଣ ସହିତ ସାମଗ୍ରିକ ବିକାଶ ପାଇଁ ଏକ ନିରାପଦ ଓ ସୁରକ୍ଷିତ ପରିବେଶ ଯୋଗାଇ ଦେବା ବିଭାଗର ଲକ୍ଷ୍ୟ । ଏହା ମାଧ୍ୟମରେ ଦେଶର ଦୀର୍ଘସ୍ଥାୟୀ ଏବଂ ସମାନତାପୂର୍ଣ୍ଣ ବିକାଶ ସମ୍ଭବ ହୋଇପାରିବ । ଆର୍ଥିକ ଏବଂ ସାମାଜିକ ପରିବର୍ତ୍ତନ ଲକ୍ଷ୍ୟ ହାସଲ କରାଯାଇପାରିବ । ଏହି ଲକ୍ଷ୍ୟ ହାସଲ କରିବା ପାଇଁ, ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୩ଟି ପ୍ରମୁଖ ଯୋଜନାକୁ ମଞ୍ଜୁରୀ ମିଳିଛି । ଏସବୁ ଯୋଜନା ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କାର୍ଯ୍ୟକାରୀ କରିବ ।
ମିଶନ ପୋଷଣ 2.0, ମିଶନ ଶକ୍ତି ଏବଂ ମିଶନ ବାତ୍ସଲ୍ୟ । ପଞ୍ଚଦଶ ଅର୍ଥ ଆୟୋଗଙ୍କ ଅବଧି ଅର୍ଥାତ୍ ୨୦୨୧-୨୨ଠାରୁ ୨୦୨୫-୨୬ ମଧ୍ୟରେ ଏହି ତିନୋଟି ମିଶନ୍ କାର୍ଯ୍ୟକାରୀ କରାଯିବ । ଏହି ମିଶନଗୁଡ଼ିକ ଅଧୀନରେ ଯୋଜନାଗୁଡ଼ିକ କେନ୍ଦ୍ର ପ୍ରାୟୋଜିତ ଯୋଜନା ଭାବେ କାର୍ଯ୍ୟକାରୀ କରାଯିବ । ଖର୍ଚ୍ଚ ବିଭାଜନ ନିୟମ ଅନୁଯାୟୀ, କେନ୍ଦ୍ର ଭାଗ ସହିତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନେ ନିଜ ଭାଗ ଅର୍ଥ ମିଶାଇ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବେ । ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କୁ ଯୋଜନାର ମାର୍ଗଦର୍ଶିକା ଜାରି କରାଯାଉଛି ।